ନବନିଯୁକ୍ତ ପିଜିଟିଙ୍କ ୬ ଦିନିଆ ପ୍ରବେଶକାଳିନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ  | News Room Odisha

ନବନିଯୁକ୍ତ ପିଜିଟିଙ୍କ ୬ ଦିନିଆ ପ୍ରବେଶକାଳିନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ 

ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଆରଆଇଇ ଭୁବନେଶ୍ବର ଓ ଓସେପାର ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ଛଅଦିନିଆ ପ୍ରବେଶକାଳୀନ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ଆରଆଇଇଠାରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଛାତ୍ରଛାତ୍ରୀମାନଙ୍କ ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ଉପରେ ଧ୍ୟାନ ଦେବା ପାଇଁ ତଥା ଅବଦମିତ ଇଚ୍ଛାଶକ୍ତି ବଳରେ ଆଗେଇ ଯିବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ଶିକ୍ଷକମାନଙ୍କର ପ୍ରଧାନ କର୍ତ୍ତବ୍ୟ ବୋଲି ସେ କହିଥିଲେ । ଆରଆଇଇ ର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଆତ୍ମସମୀକ୍ଷା କରି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ଆଦର୍ଶ ରୋଲ ମଡ଼େଲ ହେବା ପାଇଁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଥିଲେ । ଆରଆଇଇର ପ୍ରଫେସର ଏଲିଜାବେଥ ଗମାଇଙ୍ଗ କାର୍ଯ୍ୟକ୍ରମ ସଂଯୋଜିକା ହିସାବରେ ନବନିଯୁକ୍ତ ପିଜିଟିମାନଙ୍କୁ ଶୁଭେଛା ଜଣାଇବା ସହ ନିଜର କର୍ତ୍ତବ୍ୟ ନିଷ୍ଠାପର ଭାବରେ ପାଳନ କରିବା ପାଇଁ କହିଥିଲେ ।

ପ୍ରାରମ୍ଭରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର . ଆୟାର ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ଵାଗତ ଜଣାଇବା ସହ ତାଲିମ ଶିବିରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କୁ ନିଜର ଉତ୍ତମ ପ୍ରଦର୍ଶନ ପାଇଁ ସେ ଆହ୍ୱାନ ଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସନାତନ ପଣ୍ଡା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟ ତଥା କାର୍ଯ୍ୟାଳୟର କାର୍ଯ୍ୟାବଳୀ ତଥା ଓଡ଼ିଶା ଲିଭ୍ ରୁଲ୍ ବିଷୟରେ ଧାରଣା ପ୍ରଦାନ କରିଥିଲେ । ଆରଆଇଇ ର ପ୍ରଫେସର ରମାକାନ୍ତ ମହାଲିକ ଆଇସିଟି ମାଧ୍ୟମରେ ଶିକ୍ଷାଦାନ ପ୍ରଣାଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ଦିଲ୍ଲୀ ଓ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର ଉଦୟନାଥ ଦାସ ଶିକ୍ଷକମାନଙ୍କର ସମାଧାନକାରୀ ଭୂମିକା ସମ୍ବନ୍ଧରେ ସାରଗର୍ଭକ ଆଲେଚନା କରିଥିଲେ । ଚିରାଚରିତ ଶ୍ରେଣୀ ଶିକ୍ଷାଦାନ ସହ ଜୀବନକୌଶଳ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏନ୍.ସି.ଇ.ଆର୍.ଟି.ଇ ର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଆର.ଆଇ.ଇ ର ପ୍ରଫେସର ହୃଷିକେଶ ସେନାପତି ଜାତୀୟ ଶିକ୍ଷାନୀତି -୨୦୨୦ ଉପରେ ଆଲୋକପାତ କରିଥିଲେ ।

ଅଂଶଗ୍ରହଣକାରୀ ପ୍ରଶିକ୍ଷାର୍ଥୀ ପିଜିଟି ପ୍ରାଣୀବିଜ୍ଞାନ ଶିବପ୍ରସାଦ ମିଶ୍ରଙ୍କ ସାବଲୀଳ ବେଦପାଠ ଓ ପିଜିଟି ଓଡ଼ିଆ ପୀତାମ୍ବର ବେହେରାଙ୍କ ଜଗନ୍ନାଥ ଜଣାଣ ଗାନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଯୁଗୁ ନିର୍ଦ୍ଦେଶକ ଡକ୍ଟର ସନାତନ ପଣ୍ଡା ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିବାବେଳେ ସହକାରୀ ନିର୍ଦ୍ଦେଶିକା ସୁନନ୍ଦା ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।