ଖରିଫ ଫସଲ ହେବ ତ୍ଵରାନ୍ଵିତ: ଗଞ୍ଜାମର ବିଭିନ୍ନ ଡ୍ୟାମ୍‌ରୁ ପାଣି ଛଡ଼ାଗଲା   | News Room Odisha

ଖରିଫ ଫସଲ ହେବ ତ୍ଵରାନ୍ଵିତ: ଗଞ୍ଜାମର ବିଭିନ୍ନ ଡ୍ୟାମ୍‌ରୁ ପାଣି ଛଡ଼ାଗଲା  

ଛତ୍ରପୁର: ରାଜ୍ୟର ବିଭିନ୍ନ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାରେ ଜୁଲାଇ ମାସ ତୃତୀୟ ସପ୍ତାହ ଶେଷ ସୁଦ୍ଧା ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିଥିଲା। ଫଳରେ କୃଷକମାନେ ଚାଷ ଜମିରେ ଚଳଚଞ୍ଚଳ ହେବା ବଦଳରେ ଜଳସେଚନ ପାଇଁ ଯଥେଷ୍ଟ ପାଣି ଅଭାବରୁ ଚିନ୍ତିତ ଅବସ୍ଥାରେ ରହିଥିଲେ। ଅନେକ ସ୍ଥାନରେ ତଳି ନଷ୍ଟ ହେବା ଆଶଙ୍କାରେ ଚାଷୀ ବିବ୍ରତ ଥିଲେ। ଅକ୍ଷୟ ତୃତୀୟାରୁ ଆରମ୍ଭ କରି ରଜ ସଂକ୍ରାନ୍ତି ପରେ ପରେ ଚାଷୀ ଧାନ ବୁଣା ଓ ତଳି ପକା କାମ ଆରମ୍ଭ କରିଥିଲା। ମାତ୍ର ସ୍ବାଭାବିକ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଥିଲା। ଶ୍ରାବଣ ଅଧା ହୋଇ ସାରିଥିଲେ ହେଁ ଧାନ ତଳି ବଢ଼ି ପାରୁନଥିଲା। ରୁଆ କାମ ଜୋରସୋରରେ ଚାଲିବା ବଦଳରେ ଜଳସେଚନ ସୁବିଧା ହେଉ ନଥିବାରୁ କ୍ଷେତ ପ୍ରାୟ ଖାଲି ପଡ଼ି ରହିଥିଲା। ଲଘୁଚାପ ସତ୍ତ୍ଵେ ଆଶାନୁରୂପକ ବୃଷ୍ଟିପାତ ନହେବାରୁ କୃଷକ କିଭଳି ଚାଷ କାମ ଆଗେଇନେବ ସେଥିନେଇ ବିବ୍ରତ ରହିଥିଲେ।

ତେବେ ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ଆଜିଠାରୁ ଜିଲ୍ଳାର ବିଭିନ୍ନ ଜଳଭଣ୍ଡାରରୁ କେନାଲ୍‌ ଯୋଗେ ପାଣି ଛଡ଼ାଯାଇଛି। ଫଳରେ କେନାଲ୍‌ ପାଣିକୁ ଜମିରେ ମଡ଼ାଇ ଚାଷବାସକୁ ତ୍ବରାନ୍ବିତ କରିବାକୁ ଚାଷୀ ଅଣ୍ଟା ଭିଡ଼ିଛନ୍ତି। ଜଳସେଚନ ଚିନ୍ତାରୁ ଚାଷୀଙ୍କୁ ଆଶ୍ଵସ୍ତି ମିଳିଛି। ଏବେ ଧାନ ଚାଷ ତ୍ବରାନ୍ବିତ ହୋଇପାରିବ। ଦିଗପହଣ୍ତି ବ୍ଲକ୍‌ ଅନ୍ତର୍ଗତ ଘୋଡ଼ାହାଡ଼ ଡ୍ୟାମ୍‌ର ବାମ ଓ ଡାହାଣ କେନାଲ୍‌ରେ ୦.୪ ମିଟର ପାଣି ଛଡ଼ାଯାଇଛି। ଡାହାଣ କେନାଲ ଦ୍ଵାରା ୧୬୧୦ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ଆୟକଟ୍‌ ରହିଥିବା ବେଳେ ବାମ କେନାଲ୍‌ ଦ୍ଵାରା ୭୭୫୮ ହେକ୍ଟର ଜମି ଜଳସେଚିତ କରିବା ନିମନ୍ତେ ଆୟକଟ୍‌ ରହିଛି। ଦିଗପହଣ୍ତି ବ୍ଲକ୍‌ରେ ୯,୩୬୮ ହେକ୍ଟର ଚାଷଜମି ଘୋଡ଼ାହାଡ଼ ଜଳଭଣ୍ଡାର ଦ୍ଵାରା ଜଳସେଚିତ ହୋଇପାରୁଛି। କିଛି ଦିନ ପୂର୍ବରୁ ଏହି ଜଳଭଣ୍ଡାରରେ ଜଳସ୍ତର ୬୫ ପ୍ରତିଶତ ଥିଲା ବେଳେ ବର୍ଷା ପରେ ତାହା ୭୦ ପ୍ରତିଶତରେ ପହଞ୍ଚିଥିଲା। ଘୋଡ଼ାହାଡ଼ ଜଳସେଚନ ଉପଖଣ୍ତ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ଜଳଶୀର୍ଷ କମିଟି ସଭାପତି ରମେଶ ପାତ୍ର ସୂଚନା ଦେଇଛନ୍ତି ଯେ- ୩ ଦିନ ମଧ୍ଯରେ କେନାଲରେ ସମ୍ପୂର୍ଣ୍ଣ ପାଣି ଛଡ଼ାଯିବ।

ବୁଗୁଡ଼ା ବ୍ଲକ୍‌ ବାଘୁଆ ଜଳଭଣ୍ଡାରର ବାମ ଓ ଡାହାଣ କେନାଲ ଦେଇ ଖରିଫ ଫସଲ ସକାଶେ କେନାଲ୍‌ ଦେଇ ଜଳ ଛଡ଼ାଯାଇଛି। ସହ- ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ ସୂଚନା ଦେଇଛନ୍ତି ଯେ- ବାଘୁଆ ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୩୧୦୦ ହେକ୍ଟର ମିଟର ଥିବା ବେଳେ ଜଳଭଣ୍ଡାରରେ ୧୧୭୮.୮୦ ହେକ୍ଟର ମିଟର ଜଳ ଗଛିତ ରହିଛି। ଏଣୁ ଚାଷୀଙ୍କ ଜମିକୁ ଜଳସେଚିତ କରିବା ଦୃଷ୍ଟିରୁ କେନାଲ୍‌ରେ ପାଣି ଛଡ଼ାଯାଇଛି। ଏହାଦ୍ଵାରା ଆଶାନୁରୂପକ ବୃଷ୍ଟିପାତ ନହେଲେ ବି ଏଣିକି ଚାଷବାସ କାର୍ଯ୍ୟ ସୁରୁଖୁରୁରେ ଆଗେଇ ପାରିବ।