ଅନ୍ତଃରାଜ୍ୟ ଛିନ୍‌ତାଇ ଗ୍ୟାଙ୍ଗ୍‌କୁ କାବୁ କଲା ବ୍ରହ୍ମପୁର ପୋଲିସ | News Room Odisha

ଅନ୍ତଃରାଜ୍ୟ ଛିନ୍‌ତାଇ ଗ୍ୟାଙ୍ଗ୍‌କୁ କାବୁ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସ ଏକ ଅନ୍ତଃରାଜ୍ୟ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ଲୁଟେରାଙ୍କୁ କାବୁ କରିଛି। ସେମାନେ ହେଲେ ସନ୍ତୋଷ କୁମାର ନଟ (୩୬), ରାଜା ୟାଦବ (୨୮) ଓ ମନିଷ କୁମାର ୟାଦବ (୨୫)। ଏମାନେ ସମସ୍ତେ ବିହାର ରାଜ୍ୟ କୋତିହାର ଜିଲ୍ଲା କୋର୍‌ହା ଥାନା ଅନ୍ତର୍ଗତ ନୟାତୋଲା ଜୁରାବଗଞ୍ଜ ଗ୍ରାମର ବାସିନ୍ଦା ଅଟନ୍ତି। ସେମାନଙ୍କ ଠାରୁ ଦୁଇଟି ବାଇକ୍‌ (ଓଡି୨୧୫ଏଜେଡ୍‌- ୬୫୬୩, ଓଆର୍‌ଠ୨ବିଏମ୍‌- ୦୭୯୭), ଗୋଟିଏ ବାଇକ୍‌ର ବୀମା ପ୍ରମାଣପତ୍ର, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ, ଏକ କଳା ରଙ୍ଗର ହେଲ୍‌ମେଟ୍‌, ୩ଟି ଆଧାର କାର୍ଡ, ୬ଟି ଅତ୍ୟାଧୁନିକ କି-ପେଡ୍‌ ମୋବାଇଲ୍‌, ଡିକି ଓ ବାଇକ୍‌ ତାଲା ଭାଙ୍ଗିବାରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ରହିଥିବା ଏକ ଏୟାର୍‌ ବ୍ୟାଗ୍‌ ଆଦି ଜବତ କରିଛି ପୋଲିସ।

ଏହି ଅଭିଯୁକ୍ତମାନେ ବ୍ରହ୍ମପୁର ଟାଉନ୍‌ ଥାନା କେସ୍‌ ନମ୍ବର ୨୦୯/୨୦୨୩ ସମେତ ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନାର ୨ଟି କେସ୍‌, ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନାର ୨ଟି କେସ୍‌, ଏୟାର୍‌ଫିଲ୍ଡ ଥାନା, ମଞ୍ଚେଶ୍ବର ଥାନା, ଖୋର୍ଦ୍ଧା ମଡେଲ୍‌ ଥାନା, କଟକ ମାଲଗୋଦାମ ଥାନାର ଗୋଟିଏ ଲେଖାଏଁ କେସ୍‌ରେ ଏମାନେ ଜଡ଼ିତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକଙ୍କ ଠାରୁ ଲୁଟପାଟ କରି ଆସୁଥିଲେ। ପୂର୍ବରୁ ଯୋଜନାବଦ୍ଧ ଉପାୟରେ ନିର୍ଦ୍ଦିଷ୍ଟ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲେ। ପରେ ବାଇକ୍‌ରେ ଦ୍ରୁତଗତିରେ ଆସି ସେମାନଙ୍କ ଠାରୁ ଟଙ୍କା, ସୁନା ଓ ରୁପା ଅଳଙ୍କାର ` ଛିନତାଇ କରିବା ସହ ଘରେ ମଧ୍ୟ ପଶି ଲୁଟପାଟ କରୁଥିଲେ ବୋଲି ଜଣାଯାଇଛି। ଚୋରି ପରେ ଏମାନେ ଅନ୍ୟ ଅଞ୍ଚଳକୁ ଚାଲିଯାଇ ସେଠାରେ ନିରାପଦ ସ୍ଥାନ ଦେଖି ଲୁଚି ରହୁଥିଲେ। ଫଳରେ ସହଜରେ ପୋଲିସ ହାତରେ ଧରା ପଡୁନଥିଲେ। ଏପରିକି ନିଜ ଗାଁ ବିହାର ରାଜ୍ୟର କୋର୍‌ହା ଅଞ୍ଚଳକୁ ଚାଲି ଯାଉଥିଲେ। ତେବେ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ଙ୍କ ତତ୍ତ୍ଵାବଧାନରେ ପୋଲିସ ଟିମ୍‌ ଟାଉନ୍‌ ଥାନା କେସ୍‌ର ତଦନ୍ତ କରି କୌଶଳକ୍ରମେ ଏହି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଥିଲା। ଗେଟ୍‌ବଜାର ମୁକ୍ତିପଥ ସାହିର ବିଜୟ କୁମାର ଘଡ଼େଇ ଯେକି ବଡବଜାରର ବ୍ୟବସାୟୀ ବି.ସତୀଶ କୁମାରଙ୍କ ସୁପରଭାଇଜର୍‌ ଭାବେ ତାଙ୍କ ବ୍ୟବସାୟର ଆର୍ଥିକ କାରବାର ବୁଝୁଥିଲେ ତାଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ କେସ୍‌ ରୁଜୁ ହୋଇଥିଲା।