ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଏଏସଆଇ | News Room Odisha

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଏଏସଆଇ

ବୌଦ୍ଧ – ଭିଜିଲାନ୍ସ ଜାଲରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ପୋଲିସ କର୍ମଚାରୀ । ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ନବୀନ କୁମାର ଶତପଥୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ।ଏକ ପାରିବାରିକ କଳହ ସଂପର୍କିତ ମାମଲା ରଫାଦଫା କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇ ଧରାପଡିଛନ୍ତି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବେଲାଦୁଲାର ପଞ୍ଚାନନ ମେହେରଙ୍କ ପାରିବାରିକ କଳହ ସମାଧାନ ପାଇଁ ଏଏସଆଇ ନବୀନ ଶତପଥୀ ୧୫ ହଜାର ଟଙ୍କା ଦାବି କରିଥିଲେ । ପଞ୍ଚାନନ ପ୍ରଥମେ ତାଙ୍କୁ ୨ ହଜାର ଟଙ୍କା ଦେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ବୌଦ୍ଧ ବସଷ୍ଟାଣ୍ଡରେ ଏଏସଆଇ ନବୀନ ଶତପଥୀ ପଞ୍ଚାନନଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ପୂର୍ବ ଯୋଜନା ମୁତାବକ ଛକିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ବୌଦ୍ଧ ବୁଟୁପାଲି ସ୍ଥିତ ଏଏସଆଇଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି ।