ଷ୍ଟାର୍ ଚିହ୍ନ (*) ଥିବା ୫୦୦ ଟଙ୍କିଆ ନୋଟ୍ ଅସଲି ନା ନକଲି ? ଆରବିଆଇ ଦେଲା ସ୍ପଷ୍ଟୀକରଣ | News Room Odisha

ଷ୍ଟାର୍ ଚିହ୍ନ (*) ଥିବା ୫୦୦ ଟଙ୍କିଆ ନୋଟ୍ ଅସଲି ନା ନକଲି ? ଆରବିଆଇ ଦେଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ୫୦୦ ଟଙ୍କିଆ ନୋଟ୍ ସମ୍ପର୍କିତ କିଛି ପୋଷ୍ଟ ସେୟାର କରାଯାଉଛି । ଏହି ପୋଷ୍ଟ ଗୁଡ଼ିକରେ ଦାବି କରାଯାଇଛି ଯେ ବଜାରରେ ଷ୍ଟାର (*) ଚିହ୍ନ ଥିବା ୫୦୦ ଟଙ୍କିଆ ନୋଟ୍ ନକଲି ।

ଏପରି ଭାଇରାଲ ପୋଷ୍ଟ ନେଇ ସ୍ପଷ୍ଟୀକରଣ ରଖିଛି ରିଜର୍ଭ ବ୍ୟାଙ୍କ । ଆରବିଆଇ କହିଛି ଯେ ଯେଉଁ ୫୦୦ ଟଙ୍କିଆ ନୋଟରେ ଷ୍ଟାର (*) ଚିହ୍ନ ରହିଛି, ସେହି ନୋଟଗୁଡ଼ିକ ନକଲି ନୁହେଁ। ଭୁଲ୍ ପ୍ରିଣ୍ଟ ହୋଇଥିବା ନୋଟ୍ ଗୁଡ଼ିକୁ ବଦଳାଇବା ପାଇଁ ଏପରି ନୋଟ୍ ଜାରି କରାଯାଇଛି |

ଆରବିଆଇ କହିଛି, ଯଦି ୫୦୦ ଟଙ୍କା ନୋଟରେ ଷ୍ଟାର ଚିହ୍ନ ଥାଏ, ତେବେ ଏହା ସମ୍ପୂର୍ଣ୍ଣ ବୈଧ ।

ବିବୃତ୍ତିରେ କୁହାଯାଇଛି ଯେ ଏହି ଷ୍ଟାର ଚିହ୍ନର ଅର୍ଥ ହେଉଛି ଏହି ନୋଟ୍ ଅନ୍ୟ କିଛି ନୋଟ୍ ବଦଳରେ ବଜାରକୁ ଆସିଛି।

ପିଆଇବି ଫ୍ୟାକ୍ଟ ଚେକ୍ ଟିମ୍ ମଧ୍ୟ ଏ ବିଷୟରେ ପୋଷ୍ଟ କରି ଲୋକଙ୍କ ସନ୍ଦେହ ଦୂର କରିଛନ୍ତି । ଡିସେମ୍ବର ୨୦୧୬ରୁ ଆରବିଆଇ ତରଫରୁ ୫୦୦ ଟଙ୍କା ନୋଟରେ ଏପରି ଷ୍ଟାର ଚିହ୍ନ ଆରମ୍ଭ ହୋଇଛି | ଷ୍ଟାର ଚିହ୍ନ ଥିବା ନୋଟ୍ ନକଲି ବୋଲି ଦାବି କରୁଥିବା ପୋଷ୍ଟ ମିଛ ବୋଲି କହିଛି ପିଆଇବି ଫ୍ୟାକ୍ଟ ଚେକ୍ ଟିମ୍ ।