କିଛି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ, ଏଣେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର | News Room Odisha

କିଛି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ, ଏଣେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର – ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଏଣେ କିଛି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି। ଗଜପତି ଓ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଗଜପତି ଜିଲ୍ଲା ମୋହନା ବ୍ଲକ ନିମ୍ବାଡ଼ ଗାଁ ନିକଟରେ ହରଭଙ୍ଗି ନଦୀ ଉପରେ ଅସ୍ଥାୟୀ କାଠ ପୋଲ ଭାସିଯାଇଛି। ଫଳରେ ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସାବରୀ ଓ ଗୋଦାବରୀ ନଦୀର ଜଳସ୍ତର ବଢୁଛି । ଏଥିପାଇଁ ମୋଟୁ ସୀମାନ୍ତ ରାଞ୍ଚି -ବିଜୟୱାଡ଼ା ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଶତାଧିକ ଗାଡ଼ି ଅଟକି ରହିଛି। ମୋଟୁର କୁଇଗୁର ବ୍ରିଜ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି। ଯାହାଫଳରେ ଶହ ଶହ ଗାଡ଼ି ଉଭୟ ପଟେ ଅଟକି ରହିଛି। ମାଲକାନଗିରିରୁ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।