ଶ୍ରୀମନ୍ଦିରରେ ଆଜି ଗରୁଡ଼ ଶୟନ ଦ୍ୱାଦଶୀ ଉତ୍ସବ | News Room Odisha

ଶ୍ରୀମନ୍ଦିରରେ ଆଜି ଗରୁଡ଼ ଶୟନ ଦ୍ୱାଦଶୀ ଉତ୍ସବ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ନିତ୍ୟ ସେବକ ହେଉଛନ୍ତି ଗରୁଡ଼। ଵିଷ୍ଣୁ ଭଗବାନଙ୍କ ପ୍ରିୟ ବାହନ। ଶ୍ରୀମନ୍ଦିରର ଜଗ- ମୋହନରେ ଗରୁଡ଼ ବିଦ୍ୟମାନ।ଶ୍ରୀମନ୍ଦିରର ଜଗ ମୋହନ ଓ ଭୋଗମଣ୍ଡପ ମଧ୍ୟବର୍ତ୍ତୀ ନାଟ ମଣ୍ଡପ ମଧ୍ୟରେ, ଦଶଫୁଟ ଉଚ୍ଚତାର ଏକ ସ୍ତମ୍ଭ ଉପରେ ରହିଛନ୍ତି ଯୋଡ଼ହସ୍ତ ଗରୁଡ଼ ମୂର୍ତ୍ତି। ପ୍ରାୟ ସମସ୍ତ ଭକ୍ତ ଏହି ସ୍ତମ୍ଭ ପଛରେ ଠିଆହୋଇ ଏକତ୍ର ତ୍ରିମୂର୍ତ୍ତି ଦର୍ଶନ କରିଥାନ୍ତି ଏବଂ ଏହିସ୍ତମ୍ଭକୁ ଆଲିଙ୍ଗନ କରିଥାନ୍ତି।ଗରୁଡ଼ଙ୍କୁ ଦର୍ଶନ କଲାପରେ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି।

କଥିତ ଅଛି, ଗରୁଡ଼ଙ୍କ ସମ୍ମୁଖରେ ମହାପ୍ରଭୁ ଭୋଜନ କରିଥାନ୍ତି- “ତୋହର ମୋହର ଦୃଷ୍ଟି ନ ପଡ଼ିବ ଯହିଁ। ସେହି ଦ୍ରବ୍ୟ ଯାକ ମୋତେ ଅମେଧ୍ୟ ଅଟଇ।” ଭକ୍ତ ଓ ଭକ୍ତିର ଅନନ୍ୟ ବିଭାବ ମହା ପ୍ରଭୁଙ୍କର ଶୟନଯାତ୍ରା। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଶୟନ ଯାତ୍ରା ଅନୁଷ୍ଠିତ ହୁଏ। ତା’ ପରଦିନ, ଅର୍ଥାତ୍ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ମଧ୍ୟ ଶୟନ କରନ୍ତି। ଚଳିତ ବର୍ଷ ମଳମାସ ପଡ଼ିଥିବାରୁ ଏହି ଶୟନ ନୀତି ଶ୍ରାବଣ ମଳମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅଦ୍ୟ ଦିବସରେ ସମ୍ପର୍ଣ୍ଣ ହେଉଛି। ତ୍ରିକାଳ ପୂଜାର ସମାପ୍ତି ପରେ, ଗରୁଡ଼ଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ଦୁଇଖଣ୍ଡ ବସ୍ତ୍ରରେ ମଣ୍ଡିତ କରାଯାଏ। ଚନ୍ଦନ ଓ ପୁଷ୍ପାଦି ଅଳଙ୍କାର ଦ୍ୱାରା ତାଙ୍କୁ ଭୂଷିତ କରାଯାଏ। ଉତ୍ତମ ନୈବେଦ୍ୟ ପ୍ରଦାନ ପୂର୍ବକ ପଞ୍ଚଉପଚାରରେ ପୂଜାର୍ଚ୍ଚନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଏ। ଏହାପରେ ଗରୁଡ଼ଙ୍କୁ ପ୍ରାର୍ଥନା କରାଯାଏ।

ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ସାମଗ୍ରୀ ପର୍ବ ଯାତ୍ରା ଯୋଗାଣିଆ ଯୋଗାଇଥାଏ ! ନିମ୍ନଲିଖିତ ସେବକଙ୍କ ଦ୍ୱାରା ଏହି ନୀତିକାର୍ଯ୍ୟ ସମ୍ପନ୍ନ ହୁଏ ! ୧-ପର୍ବଯାତ୍ରା ଯୋଗାଣିଆ , ୨- ପୂଜାପଣ୍ତା, ୩-ସୁଦୁ ସୁଆର ! ଏହି ଦିନ ସଂନ୍ଧ୍ୟାଧୂପ ପରେ ଗରୁଡଙ୍କ ଠାରେ ପର୍ବଯାତ୍ରା ଯୋଗାଣିଆ ଦେଇଥିବା ମହାସ୍ନାନ ସାମଗ୍ରୀ ସୁଦୁସୁଆର ପୂଜା କରିବାପରେ ଜଣେ ପୂଜାପଣ୍ତା ମହାସ୍ନାନ କରାଇବା ପରେ ଶୀତଳ ଭୋଗ ହୋଇ ତତ୍ ପରେ ଆଳତୀ ବନ୍ଦାପନା ହୁଏ ଓ ଗରୁଡଶୟନ ନୀତି ପାଳିତ ହୁଏ !