ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ରିଟ୍ ଓ ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ | News Room Odisha

ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ରିଟ୍ ଓ ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ

କଟକ – ଆସିଷ୍ଟାଣ୍ଟ ସେକ୍ସନ ଅଫିସର -ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାୟର ରିଭ୍ୟୁ ପିଟିସନ ଖାରଜ କରିଦେଇଛନ୍ତି ହାଇକୋର୍ଟ। ପିଟିସନ ଖାରଜ ସହ ପୂର୍ବ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ। ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟ ବିରୋଧରେ ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ପିଟିସନର ଶୁଣାଣି କରି ଶେଷ ରାୟ ସଂରକ୍ଷିତ ରହିଥିଲୋ ହାଇକୋର୍ଟ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଲିଷ୍ଟ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିଭ୍ୟୁ କରିବା ପାଇଁ ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା।

ଓଡ଼ିଶା ଲୋକସେବା ଆୟୋଗ – ଓପିଏସସି ତରଫରୁ ହୋଇଥିବା ଏଏସଓ ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ। ଓଡ଼ିଶା ସେକ୍ରେଟାରିଏଟ (ମେଥଡ ଅଫ୍ ରିକ୍ରୁଟମେଣ୍ଟ) ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ୍ ଏଏସଓ ରୁଲ୍ସ, ୨୦୧୬ର ଉଲ୍ଲଂଘନ କରି ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ୨୦୧୬ର ରୁଲ୍ସ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ହାଇକାର୍ଟ ନିର୍ଦ୍ଦେଶ ଦେଇଥିଲେ।