ଗଞ୍ଜାମରେ ପାଇଲଟ୍‌ ପ୍ରୋଜେକ୍ଟ- ନୂଆ ପଦ୍ଧତିରେ ଚିହ୍ନଟ ହେବ ସିକଲ୍‌ସେଲ୍‌ ଓ ଥାଲାସେମିଆ | News Room Odisha

ଗଞ୍ଜାମରେ ପାଇଲଟ୍‌ ପ୍ରୋଜେକ୍ଟ- ନୂଆ ପଦ୍ଧତିରେ ଚିହ୍ନଟ ହେବ ସିକଲ୍‌ସେଲ୍‌ ଓ ଥାଲାସେମିଆ

ବ୍ରହ୍ମପୁର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାରେ ଆଉ ଏକ ନୂଆ ପ୍ରୟୋଗ କରାଯିବାକୁ ଚୂଡ଼ାନ୍ତ ହୋଇଛି। ଜିଲ୍ଲାରେ ଏଣିକି ସିକଲ୍‌ସେଲ୍‌ ଓ ଥାଲାସେମିଆ ରୋଗୀଙ୍କ ନୂଆ ପଦ୍ଧତିରେ ସ୍କ୍ରିନିଂ କରାଯିବ। ରକ୍ତ ପରୀକ୍ଷା କରିବା ପାଇଁ ଆଉ ଅଧିକ ରକ୍ତ ଆବଶ୍ୟକ ହେବ ନାହିଁ। ହାଇ ପରଫର୍ମାନ୍ସ ଲିକ୍ୟୁଡ୍‌ କ୍ରୋମାଟୋଗ୍ରାଫି (ଏଚ୍‌ପିଏଲ୍‌ସି) ସ୍କ୍ରିନିଂ ଟୁଲ୍‌ ଜରିଆରେ ଜନ୍ମରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ରୋଗୀଙ୍କ ଡ୍ରାଏଡ୍‌ ବ୍ଲଡ୍‌ ସ୍ପେସିମେନ୍‌ (ଡିବିଏସ୍‌) ରକ୍ତ ନମୁନା ସଂଗ୍ରହ କରାଯିବ। ଅର୍ଥାତ୍‌ ହାତର ଯେକୌଣସି ଟିପରୁ ମାତ୍ର ଗୋଟିଏ ବିନ୍ଦୁ ରକ୍ତ ସଂଗ୍ରହ କରି ଏଥିସମ୍ବନ୍ଧୀୟ ପରୀକ୍ଷା କରାଯାଇପାରିବ। ଜାତୀୟ ସ୍ବାସ୍ଥ୍ୟ ମିଶନ୍‌ ନିର୍ଦ୍ଦେଶାଳୟ (ଓଡ଼ିଶା, ପତ୍ରାଙ୍କ ୬୯୯୦) ଗଞ୍ଜାମ ଜିଲ୍ଲାରେ ଏହି ପଦ୍ଧତିକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପତ୍ର ଲେଖିଛି। ଗଞ୍ଜାମରେ ଏହି ନୂଆ ପଦ୍ଧତିରେ ଉପରୋକ୍ତ ଦୁଇ ଶ୍ରେଣୀର ରୋଗୀଙ୍କ ସ୍କ୍ରିନିଂ କରାଯିବ। ଠିକ୍‌ ରିପୋର୍ଟ ଆସୁଛି କି ନାହିଁ ତାହା ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଯଦି ଏହି ପ୍ରୟୋଗ ସଫଳ ହୁଏ, ତେବେ ସାରା ରାଜ୍ୟରେ ଏହି ପଦ୍ଧତିରେ ଥାଲାସେମିଆ ଓ ସିକଲ୍‌ସେଲ୍‌ ରୋଗୀଙ୍କୁ ଚିହ୍ନଟ କରାଯିବ ଯାହା ହଜାର ହଜାର ରୋଗୀଙ୍କ ସକାଶେ ଉପଯୋଗୀ ସାବ୍ୟସ୍ତ ହେବ।

ଜାତୀୟ ସ୍ବାସ୍ଥ୍ୟ ମିଶନ୍‌ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ୟାମସୁନ୍ଦର ତ୍ରିପାଠୀ ସୂଚନା ଦେଇଛନ୍ତି ଯେ- ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୨୫ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ଯୋଜନା ହୋଇଛି। ଏହି ପଦ୍ଧତିରେ ଟେଷ୍ଟିଂ କରିବା ପାଇଁ ସ୍ବାସ୍ଥ୍ୟ କ୍ଷେତ୍ର ସହ ସମ୍ପୃକ୍ତ କମ୍ପାନୀମାନଙ୍କ ଟେଣ୍ଡର୍‌ ଆହ୍ଵାନ କରାଯାଇଛି। ଯେଉଁ ଘରୋଇ ସଂସ୍ଥା ବା କମ୍ପାନୀ ଟେଣ୍ଡର୍‌ ପାଇବ ସେ ଧାର୍ଯ୍ୟ ତାରିଖ ଅନୁସାରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ସ୍କ୍ରିନିଂ ଆରମ୍ଭ କରିବ। ଏହା ହେବ ରାଜ୍ୟରେ ପ୍ରଥମଥର ଯେତେବେଳେ ଥାଲାସେମିଆ ଓ ସିକଲ୍‌ସେଲ୍‌ ରୋଗୀଙ୍କ ଉପରୋକ୍ତ ପଦ୍ଧତିରେ ପରୀକ୍ଷା କରାଯିବ। ତ୍ଵରିତ ଓ ସରଳ ପରୀକ୍ଷା ଫଳରେ ଯଥାଶୀଘ୍ର ରିପୋର୍ଟ ମିଳିପାରିବ ଓ ଉପଯୁକ୍ତ ଚିକିତ୍ସା ବଳରେ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ହ୍ରାସ କରାଯାଇ ପାରିବ।

ଥାଲାସେମିଆ ଓ ସିକଲ୍‌ସେଲ୍‌ ରୋଗ ବଂଶଗତ। ତେଣୁ ଗର୍ଭଧାରଣ ପରେ ଡାକ୍ତର ଏହି ରୋଗ ଅଛି କି ନା ତାହା ପରୀକ୍ଷା କରିବାକୁ ବିଶେଷ କରି ଗର୍ଭବତୀଙ୍କୁ ପରାମର୍ଶ ଦେଇଥାନ୍ତି। ଛୁଆ ଜନ୍ମରୁ ସେ ଏହି ଦୁଇ ବିରଳ ରୋଗରେ ସଂକ୍ରମିତ କି ନା ତାହା ହଠାତ୍‌ ଜଣାପଡ଼େ ନାହିଁ। ଜନ୍ମର ୬ ମାସ ପରେ ପରୀକ୍ଷା କଲେ ଜଣାପଡ଼େ। ଏହି ରୋଗୀମାନେ ବିବାହ କଲେ ସେମାନଙ୍କ ଠାରୁ ସିକଲ୍‌ସେଲ୍‌ ଓ ଥାଲାସେମିଆ ଆକ୍ରାନ୍ତ ଶିଶୁ ଜନ୍ମ ହେବାର ଅଧକ ସମ୍ଭାବନା ଥାଏ। ପ୍ରକାଶଥାଉକି ବ୍ରହ୍ମପୁର ବଡ଼ ଡାକ୍ତରଖାନା ଜରିଆରେ ଏବେ ୬ ଶହରୁ ଅଧିକ ଏଭଳି ରୋଗୀ ଚିକିତ୍ସିତ ହେଉଛନ୍ତି। ଏହି ରୋଗୀ ସଂଖ୍ୟାକୁ ନିୟନ୍ତ୍ରିତ କରବାକୁ ସାରା ଦେଶରେ ଜାତୀୟ ସ୍ବାସ୍ଥ୍ୟ ମିଶନ୍‌ ପକ୍ଷରୁ ସ୍କ୍ରିନିଂ କରାଯିବା ଯୋଜନା ରହିଛି।