ପ୍ରବଳ ବର୍ଷାରେ କନ୍ଧମାଳ ଉବୁଟୁବୁ, କଲଭର୍ଟ ଧୋଇ ଯାତାୟାତ ଠପ୍‌, ରାସ୍ତା ଓ ଜମିରେ ଜଳଭର୍ତ୍ତି | News Room Odisha

ପ୍ରବଳ ବର୍ଷାରେ କନ୍ଧମାଳ ଉବୁଟୁବୁ, କଲଭର୍ଟ ଧୋଇ ଯାତାୟାତ ଠପ୍‌, ରାସ୍ତା ଓ ଜମିରେ ଜଳଭର୍ତ୍ତି

ଫୁଲବାଣୀ: ଗତ କିଛି ଦିନ ଭଳି ବୁଧବାର ମଧ୍ୟ ପ୍ରବଳ ବର୍ଷାରେ ଭିଜିଛି କନ୍ଧମାଳ ଜିଲ୍ଲା। କି ଗ୍ରାମାଞ୍ଚଳ କି ସହରାଞ୍ଚଳ ଜିଲ୍ଲାସାରା ଉବୁଟୁବୁ ହେଉଛି। ଜନଜୀବନ ବେହାଲ୍‌ ହୋଇ ପଡ଼ିଛି। ଜିଲ୍ଲାସାରା ଦିନକ ମଧ୍ୟରେ ହାରାହାରି ୧୪୮.୮ ମିମି ବର୍ଷା ହେଲାଣି। ଜିଲ୍ଲାର ୪ଟି ବ୍ଲକ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ୬ଟି ବ୍ଲକ୍‌ରେ ୧୦୦ ମିମିରୁ ଊର୍ଦ୍ଧ୍ବ ବୃଷ୍ଟିପାତ ରେକର୍ଡ କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଫୁଲବାଣୀ ଠାରେ ଅଗ୍ନିଶମ ବାହିନୀ ଓ ଜରୁରିକାଳୀନ ସେବା ସଂସ୍ଥାର ଅତିରିକ୍ତ ଟିମ୍‌ ମୁତୟନ କରାଯାଇଛି।

ଫିରିଙ୍ଗିଆ ବ୍ଲକ୍‌ରେ ୨୧୯.୨ ମିଲିମିଟର, ବାଲିଗୁଡ଼ାରେ ୨୧୦ ମିମି, କେ.ନୂଆଗାଁରେ ୨୦୬.୪ ଓ ଫୁଲବାଣୀ ବ୍ଲକ୍‌ରେ ୨୦୫.୬ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଚକାପାଦ ବ୍ଲକ୍‌ରେ ୧୪୭ ମିଲିମିଟର, କୋଟଗଡ଼ରେ ୧୩୬ ମିମି, ଖଜୁରୀପଡ଼ାରେ ୧୩୩.୨ ମିମି, ତୁମୁଡ଼ିବନ୍ଧରେ ୧୩୦ ମିମି, ଟିକାବାଲିରେ ୧୨୭ ମିମି, ରାଇକିଆ ବ୍ଲକ୍‌ରେ ୧୧୮.୮ ମିମି ବର୍ଷା ହୋଇଥିବା ଜଣାଯାଇଛି। ଦାରିଙ୍ଗବାଡିରେ ୭୮ ମିମି, ଜି.ଉଦୟଗିରିରେ ୭୪.୪ ମିମି ବର୍ଷା ହୋଇଛି।

ପ୍ରବଳ ବର୍ଷା ହେତୁ ଗାଁ ଓ ସହରରେ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଚାଷ ଜମିରେ ଜଳ ଭରି ଯାଇଛି। ବିଲରେ ଆଣ୍ଠୁଏ ପାଣି ଜମି ଯିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ କଲ୍‌ଭର୍ଟ ଧୋଇ ଯାତାୟାତ ପ୍ରଭାବିତ ହୋଇଛି। ସହର ତଳି ଅଞ୍ଚଳରେ ବନ୍ୟା ଜଳ ଘରେ ପଶି କ୍ଷୟକ୍ଷତି ଘଟଇଛି। ଫୁଲବାଣୀ ନଦୀଖଣ୍ତି ସାହି ନିକଟରେ ପ୍ରବାହିତ ସାଲୁଙ୍କି ନଦୀରେ ପ୍ରଖର ସୁଅରେ ବନ୍ୟାଜଳ ପ୍ରବାହିତ ଜାରି ରହିଛି। ଅନେକ ଅଞ୍ଚଳ ସହରରୁ ବିଚ୍ଛିନ୍ନ ହୋଇ ଏକରକମ ଜଳବନ୍ଦୀ ଅବସ୍ଥାରେ ରହିଛି। ଟିକାବାଲି ଅଞ୍ଚଳରେ ଏହା ଏଯାବତ୍‌ ଚଳିତ ବର୍ଷର ସବୁଠାରୁ ବଡ଼ ବର୍ଷା ବୋଲି କୁହାଯାଉଛି। ବର୍ଷା ଲାଗି ରହିଥିବାରୁ ଦୋକାନ ବଜାର, ରାସ୍ତା ଖାଲି ପଡ଼ିଛି। ଯାନବାହନ ଚଳାଚଳ ଓ ମାଲ୍‌ ପରିବହନ ଏକରକମ ଠପ୍‌ ହୋଇ ରହିଛି।

ଫିରିଙ୍ଗିଆରେ ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଛି। ବାଲନ୍ଦାପଡାରେ ଦୁର୍ଗାମୁଣ୍ଡା ନାଳର ପୋଲ ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଏହି ପୋଲ ଦେଇ ଦୁଇ ଜଣ ବାଇକ୍‌ରେ ଯାଉଥବା ବେଳେ ପାଣିର ପ୍ରଖର ସୁଅରେ ଭାସି ଯାଇଥିଲେ। ତେବେ ସେମାନେ କୌଣସିମତେ ପହଁରି କୂଳରେ ସୁରକ୍ଷିତ ଭାବେ ପହଞ୍ଚି ଯାଇଥିଲେ। ବାଘଡଙ୍ଗେରୀ ନାଳରେ ବନ୍ୟା ପାଣି ହେତୁ ୮ ଖଣ୍ଡ ଗ୍ରାମ ଜଳବନ୍ଦୀ ହୋଇରହିଛି। କ୍ରାଣ୍ଡିବାଲି ପଞ୍ଚାୟତରେ ବାଘ ନଦୀରେ ବନ୍ୟା ଜଳ ହେତୁ ଡଙ୍ଗିମେଣ୍ଡି ସମେତ ୩ ଖଣ୍ତ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କଟିମାସ୍କା ନଦୀଖଣ୍ତି ଠାରେ କଲଭର୍ଟ ଭାଙ୍ଗିଯିବା ସହ ଲୁଇସିଂ- କଣ୍ଟାମାଳ ରାସ୍ତାରେ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ରାସ୍ତାରେ ବୌଦ୍ଧ ଜିଲ୍ଲାକୁ ଯାତାୟାତ ବନ୍ଦ ରହିଛି।