ମହାନଦୀ ସିଷ୍ଟମରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ : ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ | News Room Odisha

ମହାନଦୀ ସିଷ୍ଟମରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ : ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର – ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି । କିଛି ବଡ଼ ଅଘଟଣ ହୋଇନାହିଁ । ଆଜି ସକାଳେ ଜେନାପୁର ପାଖରେ ବ୍ରାହ୍ମଣୀର ଜଳସ୍ତର ବଢିବାକୁ ଲାଗିଛି । ହେଲେ ଏହା ବିପଦ ସଂକେତ ତଳେ ଅଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ସୂଚନା ଦେଇଛନ୍ତି।

ବରମୁଳଠାରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ସେଠାରେ ବ ପାଣି କମୁଛି । ବର୍ତ୍ତମାନ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ମୁଣ୍ଡୁଳି ଠାରେ । ଏହା ବଢ଼ି ଆଜି ସନ୍ଧ୍ୟା ସୁଦ୍ଧା ୯ ଲକ୍ଷରୁ ୯ ଲକ୍ଷ ୫୦ ହଜାର ଜଳ ମୁଣ୍ଡୁଳି ଠାରେ ପ୍ରବାହିତ ହେବ । କାଣୀ ନଦୀରେ ସାମାନ୍ୟ କଟ୍ ହୋଇଥିବା ଖବର ଆସିଛି , ହେଲେ ତାକୁ ବଦଳା ଦିଆଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଅନ୍ୟ କେଉଁଠୁ ନଦୀବନ୍ଧ ଭାଙ୍ଗିବା ପରିସ୍ଥିତି ଉପୁଜିନାହିଁ । ବଡ଼ ଧରଣର ବନ୍ୟା ହେବନି । ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ସେ ସୂଚନା ଦେଇଛନ୍ତି। ଏସଆରସିଙ୍କ ଅଫିସରୁ ସବୁ ଜିଲ୍ଲପାଳମାନଙ୍କୁ ଆଲର୍ଟ କରାଯାଇଛି ।

ଆଜି ସକାଳ ୬ଟା ରେ ଏସଆରସି ବୈଠକ ନେଇଥିଲେ । ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗର ଅଧିକାରୀ ମାନଙ୍କୁ ସଜାଗ ରଖାଯାଇଛି । ଆଜି ରାତି ଗୁରୁତ୍ୱପୂର୍ଣ୍ଣ କାରଣ ରାତିରେ ବନ୍ୟା ଜଳ ପ୍ରବାହିତ ହେବ । ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ସକାଳେ ପିକ୍ ବନ୍ୟା ଜଳ ପ୍ରବାହିତ ହେବ । ତେଣୁ ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇଛି. ମହାନଦୀ ପାଇଁ ଆଜି ରାତି ଗୁରୁତ୍ୱପୂର୍ଣ୍ଣ । ବଂଶଧାରାରେ କିଛି ବିପଦ ନାହିଁ । ବରମୁଳଠାରେ ଅଧିକ ବର୍ଷା ହୋଇଥିବାରୁ ନୟାଗଡ଼ର ଗଣିଆ, କଟକର ବାଙ୍କୀର ତଳିଆ ଅଂଚଳର ଅଧିକ ପ୍ରଭାବିତ ହୋଇଛି । ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି ।ସେଠାରେ ୯୦ରୁ ୧୦୦ ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ର ଇବ ଓ ଭେଡେନ ସବ୍ କ୍ୟାଚମେଣ୍ଟରେ ପ୍ରବଳ ବର୍ଷା ହୋଇଛି ।ହେଲେ ହୀରାକୁଦରେ ଜଳସ୍ତର କମ୍ ଅଛି । ଛତିଶଗଡ଼ ଗେଟ ଖୋଲି ଦେଇଛି. ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଅସୁବିଧା ହେବ । ହେଲେ ଏ ବନ୍ୟାରେ ସେତେ ବଡ଼ ଅସୁବିଧା ହେବନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।