ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଲୋକସଭାରେ ପାରିତ ହେଲା ଦିଲ୍ଲୀ ସର୍ଭିସେସ୍ ବିଲ୍ | News Room Odisha

ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଲୋକସଭାରେ ପାରିତ ହେଲା ଦିଲ୍ଲୀ ସର୍ଭିସେସ୍ ବିଲ୍

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଦିଲ୍ଲୀ ସର୍ଭିସେସ୍ ବିଲ୍, ୨୦୨୩ ଗୁରୁବାର ଲୋକସଭାରେ ପାରିତ ହୋଇଛି। ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଅଧ୍ୟାଦେଶର ସ୍ଥାନ ନେବ ଏହି ବିଲ୍। ଏହାକୁ ଏବେ ରାଜ୍ୟସଭାରେ ଉପସ୍ଥାପନ କରାଯିବ ।

ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିଥିଲେ । ବିଲ୍ ଉପରେ ପ୍ରାୟ ଚାରି ଘଣ୍ଟାର ବିତର୍କ ପରେ ବାଚନିକ ଭୋଟ୍ ଦ୍ୱାରା ଏହି ବିଲ୍ ପାରିତ ହୋଇଥିଲା ।

ଏହାକୁ ସମର୍ଥନ କରି ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ କହିଥିଲେ ଯେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବା ଉଚିତ ନୁହେଁ।

ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ବୟାନ ଉଲ୍ଲେଖ କରି କହିଥିଲେ ନେହେରୁଙ୍କ ସହ ସର୍ଦ୍ଦାର ପଟେଲ, ରାଜାଜୀ, ରାଜେନ୍ଦ୍ର ପ୍ରସାଦ ଏବଂ ଭୀମରାଓ ଆମ୍ବେଦକର ମଧ୍ୟ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ବିରୋଧ କରିଥିଲେ।

ଶାହ ଆହୁରି କହିଥିଲେ ଯେ ଏହି ବିଲ୍ ସଂପୂର୍ଣ୍ଣ ରୂପେ ସମ୍ବିଧାନକ ଏବଂ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ ଏହି ବିଲରେ ତାଙ୍କର କୈଣସି ରାଜନୈତିକ ସ୍ବାର୍ଥ ନାହିଁ।