ପ୍ରଥମ ଟି-୨୦: ଭାରତକୁ ୪ ରନ୍‌ରେ ହରାଇଲା ଓ୍ବେଷ୍ଟଇଣ୍ଡିଜ୍ | News Room Odisha

ପ୍ରଥମ ଟି-୨୦: ଭାରତକୁ ୪ ରନ୍‌ରେ ହରାଇଲା ଓ୍ବେଷ୍ଟଇଣ୍ଡିଜ୍

ତାରୌବା: ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ରେ ଭାରତକୁ ୪ ରନ୍‌ରେ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟ୍ଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ ୯ ୱିକେଟ ହରାଇ ୧୪୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ରୋମାଞ୍ଚକ ବିଜୟ ସହ ଓ୍ବେଷ୍ଟଇଣ୍ଡିଜ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ସିରିଜର ଦ୍ବିତୀୟ ମ୍ୟାଚ୍ ରବିବାର ପ୍ରୋଭିଡେନ୍ସରେ ଖେଳାଯିବ ।

୧୫୦ ରନର ବିଜୟ ଲକ୍ଷ୍ୟ ଜବାବରେ ଭାରତ ୨୮ ରନ୍ ମଧ୍ଯରେ ଉଭୟ ଓପନରଙ୍କୁ ହରାଇଥିଲା। ଶୁଭମନ ଗିଲ୍ ୩ ଓ ଇଶାନ କିଶନ ୬ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ପଦାର୍ପଣ ମ୍ୟାଚ୍ ଖେଳୁଥିବା ତିଳକ ବର୍ମା ଦୃଢ ବ୍ୟାଟିଂ କରି ସ୍ଥିତି ସୁଧାରିବା ସହ ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ। ତୃତୀୟ ୱିକେଟ୍‌ରେ ୩୯ ରନ୍
ସଂଗୃହୀତ ହୋଇଥିଲା। ଉଭୟ କ୍ରିଜ୍‌ରେ ଜମି ଆସୁଥିବା ବେଳେ ବିଜୟ ଆଶା ଉଜ୍ଜ୍ବଳ ହୋଇଥିଲା ।

ବ୍ୟକ୍ତିଗତ ୨୧ ରନ୍ କରିଥିବାବେଳେ ସୂର୍ଯ୍ୟକୁମାର ଦଶମ ଓଭରରେ ଜାସନ ହୋଲ୍ଡରଙ୍କ ଏକ ବଲ୍‌କୁ କଭର ଅଞ୍ଚଳକୁ ଖେଳିବାକୁ ଯାଇ ନିୟନ୍ତ୍ରଣ ହରାଇ କ୍ୟାଚ୍ ଆଉଟ୍ ହୋଇଥିଲେ। ୧୦ ରନ୍ ମଧ୍ୟରେ ତିଳକଙ୍କୁ ଆଉଟ୍ କରି ରୋମାରିଓ ସେଫର୍ଡ ରୋମାଞ୍ଚ ଭରି ଦେଇଥଲେ। ୭୭ ରନ୍‌ରେ ଦଳ ୪ଟି ୱିକେଟ୍ ହରାଇଥିଲା ।

ଭାରତକୁ ବିଜୟ ପାଇଁ ୫୪ଟି ବଲ୍‌ରେ ଆଉ ୭୩ ରନ୍ ଆବଶ୍ୟକ ହେଉଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ ୩୬ରନର ଭାଗିଦାରୀ ଗଢିଥିଲେ । ଦଳୀୟ ସ୍କୋର ୧୧୩ ବେଳେ ପାଣ୍ଡ୍ୟା ୧୯ ରନ କରି ଆଉଟ୍ ହୋଇଥିଲେ । ପରେ ପରେ ସାମସନ (୧୨)ଙ୍କ ରନ୍ ଆଉଟ୍‌ ମ୍ୟାଚ୍ର ଗତିପଥ ବଦଳାଇ ଦେଇଥିଲା। ୨୭ବଲ୍‌ରେ ୩୭ ରନ୍ ଆବଶ୍ୟକ ହେଉଥିଲା ।

ୱେଷ୍ଟଇଣ୍ଡିଜ ଶୃଙ୍ଖଳିତ ବୋଲିଂ କରି ନିମ୍ନ ଭାଗ ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାକୁ ସୁଯୋଗ ଦେଇ ନଥିଲା। ଅକ୍ଷର ପଟେଲ (୧୩) ଓ ଅର୍ଶଦୀପ ସିଂହ (୧୨) ଅନ୍ତିମ ଭାଗରେ ଲଢେଇ କରିଥିଲେ ହେଁ ଦଳକୁ ଜିତାଇ ପାରିନଥିଲେ ।

ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୧୦ ରନ୍ ଆବଶ୍ୟକ ହେଉଥିଲା। ପ୍ରଥମ ବଲ୍‌ରେ କୁଲଦୀପ (୩) ଆଉଟ୍ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ୟୁଜବେନ୍ଦ୍ର ଚହଲ ୧ ରନ୍ ଚୋରାଇ ନେଇଥିଲେ। ୪ବଲରେ ୯ରନ୍ ବାକି ରହିଥିଲା । ତୃତୀୟ ବଲ୍‌ରେ ଅର୍ଶଦୀପ ୨ ରନ୍ ସଂଗ୍ରହ କରିଥିଲେ । ଚତୁର୍ଥ ବଲ୍‌ରେ ରନ୍ ହୋଇ ନଥିଲା। ପର ବଲ୍‌ରେ ୨ରନ୍ ନେବାକୁ ଯାଇ ଅର୍ଶଦୀପ ଆଉଟ୍ ହେବା ସହ ଭାରତର ବିଜୟ ଆଶା ମଉଳି ଯାଇଥିଲା।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋମାରିଓ ସେଫର୍ଡ, ଜାସନ ହୋଲ୍ଡର ଓ ଓବେଡ ମ୍ୟାକକୟ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ପୂର୍ବରୁ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋଭମାନ ପାୱେଲ୍‌ ଓ ନିକୋଲାସ ପୁରାନଙ୍କ ଧୂଆଁଧାର ପାଳି ସହାୟତାରେ ଦଳ‌ ପ୍ରାରମ୍ଭିକ ବିପର୍ଯ୍ୟୟରୁ ମୁକୁଳିଥିଲା । ପାୱେଲ୍‌ ୩୨ଟି ବଲ୍‌ରୁ ୩ଚୌକା ଓ ୩ଛକା ବଳରେ ସର୍ବାଧିକ ୪୮ ରନ୍ କରିଥିବା ବେଳେ ପୁରାନ ୪୧ (୨ଚୌକା, ୨ଛକା) ରନ୍ କରି କରିଥିଲେ । ବ୍ରେଣ୍ଡନ୍ କିଙ୍ଗ ୨୮ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ଏବଂ ୟୁଜବେନ୍ଦ୍ର ଚହଲ ୨-୨ ୱିକେଟ୍ ନେଇଥିଲେ।