ସପ୍ତାହକ ମଧ୍ୟରେ ଖୋଲିବ ବ୍ରହ୍ମପୁର ପ୍ରସ୍ତର ଉଦ୍ୟାନ | News Room Odisha

ସପ୍ତାହକ ମଧ୍ୟରେ ଖୋଲିବ ବ୍ରହ୍ମପୁର ପ୍ରସ୍ତର ଉଦ୍ୟାନ

ବ୍ରହ୍ମପୁର: ଶୀଘ୍ର ବ୍ରହ୍ମପୁର ବାସିନ୍ଦା ତଥା ଏଠାକୁ ଆସୁଥିବା ପର୍ଯ୍ୟଟକ, ଭ୍ରମଣକାରୀ ରାଜ୍ୟର ପ୍ରଥମ ପ୍ରସ୍ତର ଉଦ୍ୟାନ ବା ରକ୍ ଗାର୍ଡେନର ମଜା ଉଠାଇପାରିବେ। ଏହାର ନିଆରା ସୌନ୍ଦର୍ଯ୍ୟ, ପଥରରେ ନିର୍ମିତ କାରୁକାର୍ଯ୍ୟ, ଚଲା ପଥ, କୃତ୍ରିମ ଝରଣା ଓ ସବୁଜିମା ସାଙ୍ଗକୁ ଫୁଡ୍ ପ୍ଲାଜା ଆଦି ଉପଭୋଗ କରିପାରିବେ।ରକ୍‌ ଗାର୍ଡେନ୍‌ ପରିସରରେ ଥିବା ଲାମିନାର୍‌ ଫାଉଣ୍ଟେନ୍‌, କୁନି ପିଲାଙ୍କ ପାଇଁ ଡ୍ରାଏ ଫାଉଣ୍ଟେନ୍‌, ପାଥ୍ ଓ୍ବେ, ସାଇକଲ ଟ୍ରାକ୍‌, ଓ୍ବାଟରଫଲ୍‌, ମୁକ୍ତ ମଞ୍ଚ ଆଦି ଦେଖଣାହାରୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିବ। ନିକଟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି।

ଆମ୍ବପୁଆ ନିକଟରେ ୯ ଏକର ଜାଗାରେ ବିଡିଏ ଆନୁକୁଲ୍ୟରେ ରକ୍‌ ଗାର୍ଡେନ୍‌ ନିର୍ମାଣ କାମ ଚୂଡ଼ାନ୍ତ ହୋଇଛି। ସପ୍ତାହେ ଭିତରେ ଖୋଲାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ପୂର୍ବରୁ ରକ୍‌ ଗାର୍ଡେନ୍‌ ଉଦ୍‌ଘାଟନ ହୋଇସାରିଥିଲେ ମଧ୍ଯ ଏହାର ଅଧିକ ସୌନ୍ଦର୍ଯ୍ୟକରଣ କାମ ଚାଲିଥିଲା। ତାହା ଏବେ ଶେଷ ହୋଇଛି। ଲୋକଙ୍କ ପାଇଁ ଅତିରିକ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି।

ସେହିଭଳି ବିଡିଏ ପରିଚାଳିତ ବା ନିର୍ମାଣାଧୀନ ଗଞ୍ଜାମ ହାଟ, ଗିରି ମାର୍କେଟ୍‌ ଓ ପୁରୁଣା ବସଷ୍ଟାଣ୍ଡ ବହୁତଳ ପାର୍କିଂ କମ୍ପ୍ଲେକ୍ସ ମଧ୍ୟ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ଗଞ୍ଜାମ ହାଟ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ନଭେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛ। ଗତ ମାସ ଠାରୁ ବହୁ ତଳ ପାର୍କିଂ କମ୍ପ୍ଲେକ୍ସ୍‌ କାମ ଆରମ୍ଭ ହୋଇଛି। ଏହା ସମ୍ପୂର୍ଣ୍ଣ ହେଲେ ଶତାଧିକ ବ୍ୟବସାୟୀ ଉପକୃତ ହେବା ସହ ଲକ୍ଷାଧିକ ଗ୍ରାହକ ଉପକୃତ ହେବେ।

ଗିରି ମାର୍କେଟ୍‌ ମୂଳ ଡିପିଆର୍‌ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ)ରେ ପରିବର୍ତ୍ତନ ସହ ପ୍ରକଳ୍ପ ସମ୍ପ୍ରସାରଣ ପ୍ରସ୍ତାବ ରହିଛି। ଏ ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ସମୀକ୍ଷା ସମୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଜେ.ସୋନାଲ, ଅତିରିକ୍ତ କମିଶନର୍ ସମ୍ବିତ ରାଉତ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ ଉପସ୍ଥିତ ଥିଲେ।