ମଣିପୁରରେ ଥମୁନି ହିଂସା, ପୋଲିସ ଅସ୍ତ୍ରାଗାର ଉପରେ ଆକ୍ରମଣ, ବହୁ ଅସ୍ତ୍ରଶସ୍ତ୍ର ଲୁଟ୍ | News Room Odisha

ମଣିପୁରରେ ଥମୁନି ହିଂସା, ପୋଲିସ ଅସ୍ତ୍ରାଗାର ଉପରେ ଆକ୍ରମଣ, ବହୁ ଅସ୍ତ୍ରଶସ୍ତ୍ର ଲୁଟ୍

ଇମ୍ଫାଲ: ଅଶାନ୍ତ ମଣିପୁରରେ ହିଂସା ଥମିବାର ନାଁ ଧରୁନି । ଉଗ୍ରବାଦୀମାନେ ପୋଲିସ ଅସ୍ତ୍ରାଗାର ଉପରେ ଆକ୍ରମଣ କରି ବହୁ ଘାତକ ଅସ୍ତ୍ରଶସ୍ତ୍ର ଲୁଟି ନେଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଲୁଟ୍ ହୋଇଥିବା ଅସ୍ତ୍ର ମଧ୍ୟରେ ଏକେ ଆସଲ୍ଟ ରାଇଫଲ ଏବଂ ୧୯,୦୦୦ ରୁ ଅଧିକ ରାଉଣ୍ଡ ଗୁଳି ରହିଛି ।

ଏହି ଘଟଣା ବିଷ୍ଣୁପୁର ଜିଲ୍ଲାର ନାରନାସୈନା ଠାରେ ଥିବା ଦ୍ୱିତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) ମୁଖ୍ୟାଳୟରେ ଘଟିଛି | ସୂଚନାନୁସାରେ ଚୁରାଚାନ୍ଦପୁର ଅଭିମୁଖେ ପଦଯାତ୍ରା ପାଇଁ ଏକ ବିଶାଳ ଜନସମାଗମ ହୋଇଥିଲା । କୁକି ସମୁଦାୟ ମେ ’୩ରେ ଘଟିଥିବା ଜାତିଗତ ହିଂସାରେ ନିହତ ନିଜ ଲୋକଙ୍କୁ ଗଣ କବର ଦେବାକୁ ଯୋଜନା କରିଥିଲେ।

ବିଭିନ୍ନ କାଲିବରର ୧୯,୦୦୦ ରାଉଣ୍ଡ ଗୁଳି, ଗୋଟିଏ ଏକେ ସିରିଜ୍ ଆସଲ୍ଟ ରାଇଫଲ, ତିନୋଟି ‘ଘାତକ’ ରାଇଫଲ, ୧୯୫ଟି ଅଟୋମେଟିକ୍ ରାଇଫଲ, ପାଞ୍ଚଟି ଏମପି-୫ ବନ୍ଧୁକ, ୧୬୯ ମିମି ପିସ୍ତଲ, ୨୫ ବୁଲେଟପ୍ରୁଫ ଜ୍ୟାକେଟ, ୨୧ କାର୍ବାଇନ, ୧୨୪ ହ୍ୟାଣ୍ଡ ଗ୍ରେନେଡ ଓ‌ ଆହୁରି ଅନେକ ଅସ୍ତ୍ରଶସ୍ତ୍ର ଉଗ୍ରବାଦୀମାନେ ଲୁଟି ନେଇଥିଲେ । ଆଦିବାସୀମାନଙ୍କ ଗଣକବର କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି ।

କବର ସ୍ଥଳକୁ ଯାଉଥିବା ଭିଡ଼କୁ ରୋକିବା ପାଇଁ ଗୁରୁବାର ବିଷ୍ଣୁପୁର ଜିଲ୍ଲାର କଙ୍ଗୱାଇ ଏବଂ ଫୋଗାଚାଓ ଅଞ୍ଚଳରେ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଫଳରେ ପ୍ରାୟ ୨୫ ଜଣ ଲୋକ ଆହତ ହୋଇଥିଲେ। ଉତ୍ତ୍ୟକ୍ତ ଭିଡ଼ ରାଜଧାନୀ ଇମ୍ଫାଲରେ ଥିବା ଅନ୍ୟ ଦୁଇ ଶସ୍ତ୍ରାଗାର ଲୁଟିବା ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଏଥିରେ ବିଫଳ ହୋଇଥିଲେ ।

ମଣିପୁର ହାଇକୋର୍ଟ ଗୁରୁବାର ସକାଳେ ଏକ ଅପ୍ରତ୍ୟାଶିତ ଶୁଣାଣିରେ ପ୍ରସ୍ତାବିତ ଗଣ କବର କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଥିଲେ । ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ବୋଲି କୁକି ସମ୍ପ୍ରଦାୟ ଦାବି କରିଥିଲା ।

ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିକୁ ବିରୋଧ କରି ପାହାଡ଼ିଆ ଜିଲ୍ଲାରେ ମେ ୩ରେ ‘ଆଦିବାସୀ ଏକତା ମାର୍ଚ୍ଚ’ ପରେ ମଣିପୁରରେ ଆରମ୍ଭ ହୋଇଥିବା ଜାତିଗତ ସଂଘର୍ଷରେ ଏଯାବତ୍ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ମଣିପୁରର ଜନସଂଖ୍ୟାର ପ୍ରାୟ ୫୩% ହେଉଛନ୍ତି ମୈତେଇ ସମ୍ପ୍ରଦାୟ ଓ ଏମାନେ ମୁଖ୍ୟତଃ ଇମ୍ଫାଲ ଘାଟିରେ ବାସ କରନ୍ତି | ଆଦିବାସୀ – ନାଗା ଏବଂ କୁକିଙ୍କ ସଂଖ୍ୟା ୪୦%ରୁ ଅଧିକ । ଏମାନେ ସବୁ ପାହାଡ଼ିଆ ଜିଲ୍ଲାରେ ରୁହନ୍ତି |