ବ୍ରହ୍ମପୁର ସୁକୁଣ୍ଡାରେ ନକଲି ଇଞ୍ଜିନ ଅଏଲ କାରଖାନା ଠାବ, ୩ ଗିରଫ | News Room Odisha

ବ୍ରହ୍ମପୁର ସୁକୁଣ୍ଡାରେ ନକଲି ଇଞ୍ଜିନ ଅଏଲ କାରଖାନା ଠାବ, ୩ ଗିରଫ

ବ୍ରହ୍ମପୁର – ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ପୋଲିସ ଏକ ନକଲି ଇଞ୍ଜିନ ଅଏଲ କାରଖାନା ଠାବ କରିଛି । ଏଥିରେ ସଂପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ଆଖପାଖ ଅଞ୍ଚଳରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ନକଲି ଇଞ୍ଜିନ ଅଏଲ ବିକ୍ରି ହେଉଥିବା ନେଇ ଏକ କମ୍ପାନୀ ପକ୍ଷରୁ ଅଭିଯୋଗ ହେଲା ପରେ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ଏକ ଘରେ ଚଢ଼ାଉ କରାଯାଇଥିଲା। ସେଠାରୁ ଦୁଇ ଜଣ ବ୍ୟକ୍ତିଙ୍କଠାରୁ ନକଲି ଇଞ୍ଜିନ ଅଏଲ ଜବତ ହୋଇଥିଲା । ତେବେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ ନକଲି ଇଞ୍ଜିନ ଅଏଲ କାରଖାନା ଚାଲୁଥିବା ନେଇ ସେମାନଙ୍କଠାରୁ ସୂଚନା ମିଳିବା ପରେ ଗୋଳନ୍ଥରା ଓ ବଡ଼ବଜାର ଥାନା ପୋଲିସ ମିଳିତ ଭାବେ ସେହି ଉକ୍ତ କାରଖାନାରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରୁ ୨୦୦ ଲିଟର ନକଲି ଇଞ୍ଜିନ ଅଏଲ, ୧ ହଜାରରୁ ଅଧିକ ଖାଲି ଇଞ୍ଜିନ ଅଏଲ ଡବା, ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଷ୍ଟିକର, କଲର ଓ କେମିକାଲ ଜବତ କରାଯାଇଥିଲା ।