‘ଚୁପ ରୁହ ନଚେତ୍ ଘରେ ଇଡି ପହଞ୍ଚିବ', ବିରୋଧୀ ସାଂସଦଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ | News Room Odisha

‘ଚୁପ ରୁହ ନଚେତ୍ ଘରେ ଇଡି ପହଞ୍ଚିବ’, ବିରୋଧୀ ସାଂସଦଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ନୂଆଦିଲ୍ଲୀ : ସଂସଦରେ ବିରୋଧୀ ସଦସ୍ୟଙ୍କୁ କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖୀଙ୍କ ‘ଇଡି’ ଧମକ ନେଇ ବିବାଦ ସୃଷ୍ଟି ହୋଇଛି । ଲେଖୀ ଗୁରୁବାର ଦିଲ୍ଲୀ ସେବା ବିଲ୍ ଉପରେ ଆଲୋଚନାରେ ଭାଗ ନେବା ସମୟରେ ଜଣେ ବିରୋଧୀ ସାଂସଦ ହସ୍ତକ୍ଷେପ କରିଥିଲେ।

ତେବେ ଲେଖୀ ତାଙ୍କୁ କହିଥିଲେ, ଗୋଟେ ମିନିଟ୍ ଗୋଟେ ମିନିଟ୍। ଚୁପ୍ ହୋଇଯାଅ ନଚେତ ତୁମ ଘରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପହଞ୍ଚିଯିବ। ତେବେ ଲେଖୀଙ୍କ ଏଭଳି ଧମକକୁ ନେଇ ବିରୋଧୀ ସଦସ୍ୟମାନେ ତୀବ୍ର ବିରୋଧ କରିଛନ୍ତି । ଏନ୍‌ସିପି ମୁଖପାତ୍ର କ୍ଲାଇଡ୍ ଗ୍ରେଷ୍ଟା କହିଛନ୍ତି, କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ନେଇ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଲେଖିଙ୍କ ଟିପ୍ପଣୀରୁ ସତ ପ୍ରମାଣିତ ହେଉଛି | ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି କହିଛନ୍ତି, ଲେଖି ଲୋକସଭାରେ ରଖିଥିବା ଟିପ୍ପଣୀ ଦ୍ଵାରା ସେ ସତର୍କ କରୁଛନ୍ତି ନା’ ଧମକ ଦେଉଛନ୍ତି। ଟିଏମ୍‌ସି (ତୃଣମୂଳ କଂଗ୍ରେସ) ମୁଖପାତ୍ର ସକେତ ଗୋଟେଲ ସଂସଦରେ ଲେଖିଙ୍କ ଇଡି ଟିପ୍ପଣୀକୁ ଆଶ୍ଚର୍ଯ୍ୟଜନକ କହିଛନ୍ତି। ସେ କହିଛନ୍ତି, ମନ୍ତ୍ରୀମାନେ ଏବେ ବିରୋଧୀ ଦଳ ନେତାଙ୍କ ବିରୋଧରେ ଇଡିର ବ୍ୟବହାରକୁ ନେଇ ଖୋଲାଖୋଲି ଧମକ ଦେଉଛନ୍ତି। ଜଣେ ବିଆରଏସ୍ ନେତା କେନ୍ଦ୍ରମନ୍ତ୍ରୀଙ୍କ ଟିପ୍ପଣୀକୁ ଲଜ୍ଜାଜନକ କହିଛନ୍ତି।