୧୨ ବର୍ଷ ପୁରୁଣା ମାମଲାରେ ବିଜେପି ସାଂସଦ ଦୋଷୀ ସାବ୍ୟସ୍ତ, ଯାଇପାରେ ଲୋକସଭା ସଦସ୍ୟତା | News Room Odisha

୧୨ ବର୍ଷ ପୁରୁଣା ମାମଲାରେ ବିଜେପି ସାଂସଦ ଦୋଷୀ ସାବ୍ୟସ୍ତ, ଯାଇପାରେ ଲୋକସଭା ସଦସ୍ୟତା

ଆଗ୍ରା :ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଇଟାୱାର ଲୋକସଭା ସାଂସଦ ରାମଶଙ୍କର କଠେରିୟା ୧୨ ବର୍ଷ ପୁରୁଣା ଏକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସ୍ଥାନୀୟ ଏକ କୋର୍ଟ କଠେରିୟାଙ୍କୁ ୫୦,୦୦୦ ଟଙ୍କା ଜୋରିମାନା ସହ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୧୬ ନଭେମ୍ବର ୨୦୧୧ରେ ଟୋରେଣ୍ଟ ପାୱାର ଲିମିଟେଡର ଆଗ୍ରା କାର୍ଯ୍ୟାଳୟର ମ୍ୟାନେଜର ଭବେଶ ରସିକ ଲାଲ ଶାହା ବିଦ୍ୟୁତ ଚୋରି ମାମଲାରଳୋ ଶୁଣାଣି କରୁଥିଲେ। ସେତେବେଳେ ସାଂସଦ ରାମଶଙ୍କର କଠେରିୟା ତାଙ୍କ ସମର୍ଥକଙ୍କ ସହ ମ୍ୟାନେଜର ଭବେଶ ରସିକ ଲାଲ ଶାହାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଘଟଣା ପରେ ସାଂସଦ ରାମଶଙ୍କର କଠେରିୟା ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଆଗ୍ରାସ୍ଥିତ ହରିପର୍ବତ ପୋଲିସ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା।

ଉକ୍ତ ମାମଲାରେ ଶୁଣାଣି ଶେଷ ହେବା ପରେ ଆଜି ରାୟ ପ୍ରକାଶ ପାଇଛି।

ଦୋଷୀ ସାବ୍ୟସ୍ତ ହେବା ପରେ ବିଜେପି ସାଂସଦ କଠେରିୟା ଏହାକୁ ତାଙ୍କ ବିରୋଧରେ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତାଙ୍କ ବିରୋଧରେ ଦଣ୍ଡାଦେଶକୁ ସେ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ।

ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ ହୋଇଛି। ଏବେ ତାଙ୍କର ସଂସଦ ସଦସ୍ୟତା ରଦ୍ଦ ହୋଇପାରେ ।

ଲୋକ ପ୍ରତିନିଧୀ ଆଇନ, ୧୯୫୧ ଅନୁଯାୟୀ କୌଣସି ଅପରାଧିକ ମାମଲାରେ ଜଣେ ସାଂସଦ କିମ୍ବା ବିଧାୟକଙ୍କୁ ଯଦି ଦୁଇ ବର୍ଷରୁ ଅଧିକ ଜେଲଦଣ୍ଡ ହୁଏ ତେବେ ତାଙ୍କ ସଂସଦ/ବିଧାନସଭା ସଦସ୍ୟତା ରଦ୍ଦ ହେବ |