ନିମଖଣ୍ଡି ଅଞ୍ଚଳର ଅପହୃତ ଯୁବକ ଉଦ୍ଧାର, ୬ ଗିରଫ | News Room Odisha

ନିମଖଣ୍ଡି ଅଞ୍ଚଳର ଅପହୃତ ଯୁବକ ଉଦ୍ଧାର, ୬ ଗିରଫ

ବ୍ରହ୍ମପୁର – ଅଗଷ୍ଟ ୨ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦବିହାର ସପ୍ତମ ଲାଇନର ଜଣେ ଯୁବକଙ୍କୁ ପୋଲିସ ଆଜି ଉଦ୍ଧାର କରିଛି । ସମ୍ଭବା ବିଶୋୟୀ ନାମକ ଜଣେ ଯୁବକଙ୍କୁ ଅପହରଣ କରି ନିଆଯାଇଥିଲା । ନିମଖଣ୍ଡି ପୋଲିସ ସଂପୃକ୍ତ ଯୁବକଙ୍କୁ ଆଜି ରେଗିଡି ଛକରୁ ଉଦ୍ଧାର କରିବା ସ‌ହ ଏହି ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଛି। ଏଥିସହିତ ପୋଲିସ ଅଭିଯୁକ୍ତମାନଙ୍କଠାରୁ ଏକ ଗାଡ଼ି ଓ ମୋବାଇଲ ଫୋନ ଜବତ କରିଛି।

୧୮ ବର୍ଷିୟ ଯୁବକ ସମ୍ଭବା ବିଷୋୟୀ ଏହି ମାସ ୨ ତାରିଖରୁ ନିଖୋଜ ହୋଇଥିବା ନେଇ ତାଙ୍କ ମା’ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ୫ ତାରିଖରେ ଦୀପକ କୁମାର ସ୍ବାଇଁ ନାମକ ଜଣେ ଅଭିଯୁକ୍ତ ସମ୍ଭବାଙ୍କ ମା’ଙ୍କୁ ଫୋନ କରିଥିଲେ । ସମ୍ଭବା ତାଙ୍କ ସହ ଅଛନ୍ତି। ତାଙ୍କୁ ଛାଡ଼ିବା ପାଇଁ ଦୀପକ ୧୨ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନ ଦେଲେ ସମ୍ଭବାଙ୍କୁ ମାରି ଦିଆଯିବ ବୋଲି ଦୀପକ ଧମକ ଦେଇଥିଲା । ପୋଲିସ ଘଟଣାର ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ସମ୍ଭବାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ନିଖୋଜ ସମ୍ଭବା ବିଶୋୟୀ ଗତ ଦୁଇ ବର୍ଷ ହେବ ଖଲ୍ଲିକୋଟ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପାଠପଢା ଛାଡି ଅନଲାଇନ ଟ୍ରେଡିଂ କରୁଥିଲେ। ଏହି ଟ୍ରେଡିଂ କରୁଥିବା ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଥିଲେ ସମ୍ଭବା । ସେ ଅଭିଯୁକ୍ତ ଦୀପକ କୁମାର ସ୍ବାଇଁ ଓ ଅନ୍ୟମାନଙ୍କଠାରୁ ଟଙ୍କା ଧାର ନେଇଥିଲେ ମଧ୍ୟ ଶୁଝାଇ ପାରିନଥିଲେ। ଗତ ଦୁଇ ତାରିଖରେ ଦୀପକ ଓ ଅନ୍ୟମାନେ ସମ୍ଭବାଙ୍କୁ ଅପହରଣ କରି ପୋଲସରା ନିକଟସ୍ଥ ଏକ କ୍ରସର ଫ୍ୟାକ୍ଟ୍ରିକୁ ନେଇ ସେଠାରେ ରଖିଥିଲେ । ତାଙ୍କୁ ସେମାନେ ନିର୍ଯାତନା ଦେବା ସହ ଟଙ୍କା ଫେରସ୍ତ ନକଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସମ୍ଭବାଙ୍କୁ ଦୀପକ ଓ ସହଯୋଗୀମାନେ ଆଜି ଏକ ମହେନ୍ଦ୍ରା ଥର୍ ଗାଡିରେ ଛତ୍ରପୁର ନେଇଯାଉଥିବା ପୋଲିସ ଟିମ ଜାଣିପାରି ରେଗିଡି ଛକରେ ସେମାନଙ୍କୁ ଅଟକାଇଥିଲେ । ସମ୍ଭବାଙ୍କୁ ଉଦ୍ଧାର କରିବା ସହ ଦୀପକ ସ୍ୱାଇଁ ଓ ଅନ୍ୟ ୫ ଜଣଙ୍କୁ ଗିରଫ କରିଥିଲା ସ୍ୱତନ୍ତ୍ର ପୋଲିସ ଟିମ । ଘଟଣାର ଅଧିକ ତଦନ୍ତ ଜାରି ରହିଛି।