ଅଭାବନୀୟ: ବିଦ୍ୟୁତ ଉପଭୋକ୍ତାଙ୍କ ଆକ୍ରମଣରେ ମିଟର ରିଡର ମୃତ | News Room Odisha

ଅଭାବନୀୟ: ବିଦ୍ୟୁତ ଉପଭୋକ୍ତାଙ୍କ ଆକ୍ରମଣରେ ମିଟର ରିଡର ମୃତ

ଭଞ୍ଜନଗର – ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନ କୁପାଟି ଗ୍ରାମରେ ଆଜି ଜଘନ୍ୟ ହତ୍ୟାକାଣ୍ଡ । ବିଦ୍ୟୁତ ବିଭାଗ ପକ୍ଷରୁ ମିଟର ରିଡର ରିଡିଂ ନେଉଥିବା ସମୟରେ ଜଣେ ଗ୍ରାହକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ସମ୍ପୃକ୍ତ ମିଟର ରିଡର ଜଣକ ପ୍ରାଣ ହରାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଆଜି ସକାଳେ କୁପାଟି ଗାଁକୁ ମିଟର ରିଡିଂ ନେବା ପାଇଁ ଯାଇଥିବା ବେଳେ ସେହି ଗ୍ରାମର ଗୋବିନ୍ଦ ସେଠୀ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅଧିକ ବିଲ୍ ଆସୁଥିବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ କ୍ଷୁବ୍ଧ ହୋଇ ଗୋବିନ୍ଦ ସେଠୀ ,ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଏହାକୁ ପ୍ରତିରୋଧ କରିବାକୁ ଯାଇଥିବା ବେଳେ ରିଙ୍କୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାମ ହାତ ଆଙ୍ଗୁଠି କଟିଯାଇଥିଲା। ଏହି ସମୟରେ ଅଭିଯୁକ୍ତ ମଧ୍ୟ ତଳେ ପଡ଼ିଯିବାରୁ ସେ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।