ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ | News Room Odisha

ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ

କଟକ- ଶ୍ରୀମନ୍ଦିର ରତ୍ନଭଣ୍ଡାରର ସଂରକ୍ଷଣ ଆବଶ୍ୟକ ବୋଲି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ -ଏଏସ ଆଇ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛି। ଏଏସଆଇ ପକ୍ଷରୁ କୁହାଯାଇଛି ଯେ, ୨୦୧୮ ରେ ଶେଷଥର ପାଇଁ ବାହାର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏବେ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି । କୋର୍ଟ ଅନୁମତି ଦେଲେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ କହିଛି ।

ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ ଓ ମରାମତି କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି । ଏହାସହ ରତ୍ନଭଣ୍ଡାର ଖୋଲିବାକୁ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ କରାଯିବ । ଯେଉଁ ଟିମରେ ଏଏସଆଇ, ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟର ରହିବେ । ଲେଜର ସ୍କାନିଂ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଯାଞ୍ଚ କରିବାକୁ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା । କିଛି ଦିନ ତଳେ ରତ୍ନଭଣ୍ଡାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ।