ଅଢ଼େଇ ଶହ ବର୍ଷ ପୁରୁଣା ରମ୍ଭାର ଶ୍ରୀଜଗନ୍ନାଥ ମନ୍ଦିରକୁ ୬ ଫୁଟ ଉଚ୍ଚ ଉଠାଯାଉଛି | News Room Odisha

ଅଢ଼େଇ ଶହ ବର୍ଷ ପୁରୁଣା ରମ୍ଭାର ଶ୍ରୀଜଗନ୍ନାଥ ମନ୍ଦିରକୁ ୬ ଫୁଟ ଉଚ୍ଚ ଉଠାଯାଉଛି

ଛତ୍ରପୁର: ଅତ୍ୟାଧୁନିକ ଶୈଳୀରେ ୬ ଫୁଟ ଉପରକୁ ଉଠିବ ୨୫୦ ବର୍ଷର ପୁରୁଣା ରମ୍ଭା ସହରର ଶ୍ରୀଜଗନ୍ନାଥ ମନ୍ଦିର। ଏଭଳି ବିରଳ ଘଟଣା ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ବିରୁଳିଗଡ଼ ରାଜାଙ୍କ ଅମଳରେ ଏହି ମନ୍ଦିର ନିର୍ମିତ ହୋଇଥିଲା। ଗାଁରେ ରାସ୍ତା ମରାମତି ଫଳରେ ରାସ୍ତା ଉଚ୍ଚତା ବୃଦ୍ଧି ପାଇଛି। ଫଳରେ ଜଗନ୍ନାଥ ମନ୍ଦିରର ଚଟାଣ ସହ ଗାଁର ରାସ୍ତା ଏକ ପ୍ରକାରର ସମାନ ହୋଇଗଲାଣି। ଆଗାମୀ ଦିନରେ ବର୍ଷା ହେଲେ ପାଣି ରାସ୍ତାରୁ ମନ୍ଦିର ଭିତରେ ପ୍ରବେଶ କରିବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଗ୍ରାମବାସୀ ଓ ମନ୍ଦିର କମିଟି ମନ୍ଦିରକୁ ଆଉ ୬ ଫୁଟ ଉଚ୍ଚ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ।

ଅତ୍ୟାଧୁନିକ ଶୈଳୀରେ ମନ୍ଦିରକୁ ଉଚ୍ଚ କରାଯିବା ତଥା ଉପରକୁ ଉଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ନିକଟସ୍ଥ ରଘୁନାଥ ମନ୍ଦିରରେ ରଖି ପୂଜାର୍ଚ୍ଚନା କରାଯାଉଛି। ମନ୍ଦିରକୁ ଉଚ୍ଚ କରାଯିବା ପରେ ୨୨ ପାହାଚ, ମଣ୍ଡପ, ଅରୁଣ ସ୍ତମ୍ଭ ନିର୍ମାଣ ସହିତ ମନ୍ଦିର ପୁନଃପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟ କରୁଛି ହରିୟାଣାର ଏକ କମ୍ପାନୀ। ୮ ଜଣ କର୍ମଚାରୀ ୩ ମାସ ମଧ୍ୟରେ ମନ୍ଦିରକୁ ୬ ଫୁଟ ଉପରକୁ ଉଠାଇବେ। ଏଥିପାଇଁ ମୋଟ ୪୦୦ ଜ୍ୟାକ୍ ମନ୍ଦିର ତଳେ ତଥା ଭୂମି ଉପରେ ପୋତାଯାଉଛି।

ଏହି ପଦ୍ଧତିରେ ପ୍ରଥମେ ମନ୍ଦିରର ଚତୁଃପାର୍ଶ୍ବକୁ କିଛି ଫୁଟ ତଳକୁ ଖୋଳାଯାଏ। ଧିରେ ଧିରେ ସମାନ୍ତରାଳ ଭାବେ ଜ୍ୟାକକୁ ମନ୍ଦିର ତଳକୁ ଲଗାଯାଇ ପୁରା ଷ୍ଟ୍ରକଚର୍ ଉପରକୁ ଉଠାଯାଏ। ଏଭଳି ମନ୍ଦିରକୁ ଉଠାଇବା କାର୍ଯ୍ୟ ଅତ୍ୟନ୍ତ ସାବଧାନତାର ସହ କରିବାକୁ ପଡ଼ିଥାଏ। କମ୍ପାନୀ ଗତ କିଛି ବର୍ଷ ମଧ୍ୟରେ ଏଭଳି ଅନେକ କାର୍ଯ୍ୟ ସଫଳତାର ସହ ସମ୍ପାଦିତ କରିଆସିଛି। ତେଣୁ ଏହି ମନ୍ଦିରର ମଧ୍ୟ ଉଚ୍ଚତା ବୃଦ୍ଧି କାର୍ଯ୍ୟ ସଫଳତାର ସହ ସାରିବ ବୋଲି କହିଛନ୍ତି ଏହାର କର୍ମକର୍ତ୍ତା। ଏଥିପାଇଁ ୩ ମାସ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।