ତୃତୀୟ ଟି -୨୦ରେ ସୂର୍ଯ୍ୟ ଚମକ, ଓ୍ବେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇ ସିରିଜ୍ ବଞ୍ଚାଇଲା ଭାରତ | News Room Odisha

ତୃତୀୟ ଟି -୨୦ରେ ସୂର୍ଯ୍ୟ ଚମକ, ଓ୍ବେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇ ସିରିଜ୍ ବଞ୍ଚାଇଲା ଭାରତ

ପ୍ରୋଭିଡେନ୍ସ: ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମାଙ୍କ ଚମତ୍କାର ଇନିଂସ୍ ବଳରେ ଭାରତ ତୃତୀୟ ଟି -୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଛି । ପ୍ରଥମ ଦୁଇଟି ମ୍ୟାଚରେ ହାରିବା ପରେ ଏହି ଜବରଦସ୍ତ ବିଜୟ ସହ ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜକୁ ଉଜ୍ଜୀବିତ ରଖିଛି, ଯଦିଓ ଘରୋଇ ଦଳ ଏବେ ବି ୨-୧ରେ ଅଗ୍ରଣୀ ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ ଗତ କିଛି ମ୍ୟାଚରେ ଚୁପ୍ ରହିଥିଲା। ସେ ସଂଘର୍ଷ କରୁଥିଲେ । କିନ୍ତୁ ତୃତୀୟ ଟି -୨୦ରେ ସେ ତାଙ୍କ ଚିରାଚରିତ ଫର୍ମକୁ ଫେରିଥିଲେ।

ୱେଷ୍ଟଇଣ୍ଡିଜ୍ ଅଧିନାୟକ ରୋଭମାନ ପାୱେଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ରାଣ୍ଡେନ୍ କିଙ୍ଗ ଏବଂ ରୋଭମାନ ପାୱେଲଙ୍କ ଇନିଂସ ଯୋଗୁଁ ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା। ଭାରତୀୟ ଦଳ ଆଗରେ ୧୬୦ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କୁଲଦୀପ ଯାଦବ ଭାରତ ପାଇଁ ସବୁଠାରୁ ସଫଳ ବୋଲର ଭାବେ ୩ଟି ଓ୍ବିକେଟ୍ ନେଇଥିଲେ।

୧୬୦ ରନର ଲକ୍ଷ୍ୟ ଜବାବରେ ଭାରତ ଶୀଘ୍ର ଦୁଇ ଓପନରଙ୍କୁ ହରାଇଥିଲା । ଡେବୁଟାଣ୍ଟ ଯଶସ୍ବୀ ଜୈସୱାଲ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ଶୁଭମାନ ଗିଲ୍ (୬) ଙ୍କ ଖରାପ ଫର୍ମ ଜାରି ରହିଥିଲା । ତେବେ ସୂର୍ଯ୍ୟ ଓ ତିଳକ ବର୍ମା ତୃତୀୟ ଓ୍ବିକେଟ୍ ପାଇଁ ୮୭ ରନ୍ ଯୋଗ କରି ଭାରତର ବିଜୟ ନିଶ୍ଚିତ କରିଥିଲେ । ଭାରତ ମାତ୍ର ୧୭.୫ ଓଭରରେ ୩ ୱିକେଟ ପାଇଁ ୧୬୪ ରନ୍ କରି ମ୍ୟାଚ ଜିତିଥିଲା। ସୂର୍ଯ୍ୟକୁମାର ଫର୍ମକୁ ଫେରି ୪୪ ବଲ୍‌ରେ ୮୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ନିଜ ଇନିଂସରେ ୧୦ ଚୌକା ଓ ୪ଟି ଛକା ମାରିଥିଲେ। ତିଳକ ବର୍ମା ମଧ୍ୟ ଚଳିତ ସିରିଜରେ ନିଜ ଚମତ୍କାର ଫର୍ମ ଜାରି ରଖି ୩୪ଟି ବଲରେ ଗୋଟିଏ ଛକା ଓ ୪ଟି ଚୌକା ସହ ଅପରାଜିତ ୪୯ ରନ୍ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା‌ ୨୦ ରନ୍ କରି ଅପରାଜିତ ରହିଥିଲେ । ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।