ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ୨ ଗିରଫ , ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି | News Room Odisha

ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ୨ ଗିରଫ , ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି

ଫୁଲବାଣୀ – ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି | ଚନ୍ଦ୍ରଶେଖର ବେହେରା ଓ ବିଘ୍ନେଶ୍ୱର ବେହେରା ନାମକ ଦୁଇ ଭାଇଙ୍କୁ ଟିକାବାଲି ଥାନା ଗଡ଼ରଙ୍ଗିଆ ଗ୍ରାମରୁ ଗିରଫ କରାଯାଇଛି | ଏଥିସହିତ ଥାନା ପୋଡି ମାମଲାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏହିମାସ ୫ ତାରିଖରେ ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ଏବଂ ‌ତାଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଫିରିଙ୍ଗିଆ ଥାନାର ୨ ଜଣ ହୋମ୍‌ଗାର୍ଡ଼ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟରାସ୍ତା ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଏସ୍‌ଡିପିଓ ସୁପ୍ରସନ୍ନ ମଲିକ ଏବଂ ତହସିଲଦାର ଏମ୍‌.ଅନୁରାଧାଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଉତ୍ତ୍ୟକ୍ତ ଲୋକେ ପୋଲିସ ଏବଂ ତହସିଲଦାରଙ୍କ ଉପରକୁ ଆକ୍ରମଣ କରିଥିଲେ। ପାଖାପାଖି ୫୦୦ରୁ ଅଧିକ ଲୋକ ସେଠାରୁ ଫିରିଙ୍ଗିଆ ଥାନାକୁ ଯାଇ ନିଆଁ ଲଗାଇ ଦେଇଥିଲେ। ଚୋରା ବାଇକ୍ ଓ ଚାରିଚକିଆ ଗାଡ଼ିଲେ ନିଆଁ ଲଗାଇଦେଇଥିଲେ। ମାଲ୍‌ଖାନାରେ ଗଚ୍ଛିତ ଜବତ ଗଞ୍ଜେଇ ମଧ୍ୟ ପୋଡ଼ିଦେଇଥିଲେ। ଏହି ଘଟଣା ପରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା।