ଏକ୍ସପାରୀ ଶିଶୁଖାଦ୍ୟ ବିକ୍ରି ଅଭିଯୋଗ: ମେଡିକଲ ଷ୍ଟୋର ମାଲିକ ଅଟକ | News Room Odisha

ଏକ୍ସପାରୀ ଶିଶୁଖାଦ୍ୟ ବିକ୍ରି ଅଭିଯୋଗ: ମେଡିକଲ ଷ୍ଟୋର ମାଲିକ ଅଟକ

ବରଗଡ଼: ବରଗଡ଼ ସହରରେ ଏକ୍ସପାରୀ ଶିଶୁ ଖାଦ୍ୟ ବିକ୍ରି ଅଭିଯୋଗରେ ଜଣେ ମେଡିକାଲ ଷ୍ଟୋର ମାଲିକ ଅଟକ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବରଗଡ଼ ନିକଟସ୍ଥ ସରସରା ଗ୍ରାମର ଅତୁଲ୍ୟ ନାଗ ନିଜ ନବଜାତ ଶିଶୁ ପାଇଁ ବରଗଡ଼ ଗୋଶାଲା ନିକଟସ୍ଥ ଶ୍ରୀଶ୍ୟାମ ମେଡିକଲ ଷ୍ଟୋରରୁ ଲେକଟ୍ରୋଡେକ୍ସ କିଣିଥିଲେ । ଯାହାକି ୭ ମାସ ପୂର୍ବରୁ ଏକ୍ସପାରୀ ହୋଇଯାଇଥିବା ବେଳେ ଏନେଇ ଅତୁଲ୍ୟ ବରଗଡ଼ ଟାଉନ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଟାଉନ ଥାନା ପୁଲିସ ଏକ ମାମଲା ରୁଜୁକରି ଦୋକାନ ମାଲିକ ବିଜୟ କାନସଲଙ୍କୁ ଅଟକ ରଖିଛି । ଅପରପକ୍ଷେ ଅଭିଯୋଗ ହେବା ପରେ ଡ୍ରଗ୍ସଇନସପେକ୍ଟର ପହଞ୍ଚି ସମ୍ପୃକ୍ତ ମେଡିକାଲ ଷ୍ଟୋରର ମେଡିସିନ ଆଦି ଯାଞ୍ଚ କରିଛନ୍ତି ।

ପ୍ରକାଶ ଥାଉକି, ବରଗଡ଼ ସହରରେ ବିଭିନ୍ନ ସମୟରେ ନକଲି ମେଡିସିନ କାରବାର କାହାକୁ ଅଛପା ନୁହେଁ । ନକଲି ମେଡିସିନ କାରବାର ଅଭିଯୋଗରେ ଗତବର୍ଷ ଡିସେମ୍ବରରେ ବରଗଡ଼ ସହରର ତିନୋଟି ମେଡିକାଲ ଏଜେନ୍ସିରେ ଯାଞ୍ଚ କରାଯାଇଥିଲା । ସେ ସମୟରେ ଅଶୋକ ମେଡିକାଲ ହଲରୁ ଜବତ କିଛି ମେଡିସିନ ଯାଞ୍ଚ ପରେ ନକଲି ବୋଲି ଜଣାପଡ଼ିଥିଲା । ଯାହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ଉକ୍ତ ମେଡିକାଲ ହଲର ମାଲିକ ସୁନୀଲ ଅଗ୍ରୱାଲଙ୍କୁ ଗିରଫ କରାଯାଇଥିଲା । ସେହିପରି ଜିଲ୍ଲାରେ ବେଆଇନ କଫ ସିରପ କାରବାର ଚରମସୀମା ପହଞ୍ଚିଥିବା ସତ୍ତ୍ୱେ ଏହା ଉପରେ ଅଙ୍କଶ ଲଗାଯାଇ ପାରୁନାହିଁ । ନା ନିୟମିତ ଯାଞ୍ଚ ହେଉଛି ନା କୌଣସି ପ୍ରକାର ପଦକ୍ଷେପ ନିଆଯାଉଛି । ଯାହାକୁ ନେଇ ଜନସାଧାରଣରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର କାର୍ଯ୍ୟଧାରା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି ।