ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ହିନ୍ଦୀ ଶିକ୍ଷୟିତ୍ରୀ ଗିରଫ | News Room Odisha

ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ହିନ୍ଦୀ ଶିକ୍ଷୟିତ୍ରୀ ଗିରଫ

ବଲାଙ୍ଗୀର – ବଲାଙ୍ଗୀରରେ ଧରାପଡିଲେ ନକଲି ହିନ୍ଦୀ ଶିକ୍ଷୟିତ୍ରୀ । ବଲାଙ୍ଗୀର ଜିଲ୍ଲାର ପୁଇଁତଳା ଥାନା ଅନ୍ତର୍ଗତ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ I ସେ ଜାଲ୍ ସାର୍ଟିଫିକେଟରେ ଚାକିରୀ କରିଥିବା ନେଇ ଟାଉନ ଥାନାରେ ଜିଲ୍ଲା ଶିକ୍ଷାଧିକାରୀ ଅଭିଯୋଗ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ମୃଣ୍ମୟୀଙ୍କ ସମେତ ୪ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଜିଲ୍ଲା ଶିକ୍ଷାଧିକାରୀ ଅଭିଯୋଗ କରିଥିଲେ ମଧ୍ୟ ଅନ୍ୟ ତିନି ଜଣ ଫେରାର ହୋଇଯାଇଛନ୍ତି।

୨୦୧୩ ମସିହାରୁ ଗତ ୧୦ ବର୍ଷ ଧରି ନକଲି ବିଇଡି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି I ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗ ମାମଲାର ତଦନ୍ତ କରି ସତ ଜାଣିବାକୁ ପାଇଛି । ସାର୍ଟିଫିକେଟ ଇସ୍ୟୁ ହୋଇଥିବା ୟୁନିଭର୍ସିଟିକୁ ତଥ୍ୟ ମାଗି ପ୍ରମାଣ ହାତେଇଛି ଶିକ୍ଷା ବିଭାଗ । ଗତକାଲିଠୁ ତାଙ୍କୁ ଥାନାରେ ରଖି ପଚରାଉଚରା କରାଯାଉଥିଲା।