ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜବାବ, କହିଲେ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ସବୁବେଳେ ଶୁଭ ସାବ୍ୟସ୍ତ ହୋଇଛି | News Room Odisha

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜବାବ, କହିଲେ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ସବୁବେଳେ ଶୁଭ ସାବ୍ୟସ୍ତ ହୋଇଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ଜବାବ ଦେଇଛନ୍ତି । ବିରୋଧୀଙ୍କ ଉପରେ କଡ଼ା ଆକ୍ରମଣ ପୂର୍ବକ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ସର୍ବଦା ଶୁଭ ସାବ୍ୟସ୍ତ ହୋଇଛି । ଏହା ଆମର ନୁହେଁ ବିରୋଧୀ ଦଳଙ୍କ ଶକ୍ତି ପରୀକ୍ଷା । ଲୋକଙ୍କ ଆଶୀର୍ବାଦରେ ପୁଣି ଆମ ସରକାର ଆସିବ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିରୋଧୀ ଏକ ଗୁପ୍ତ ବରଦାନ ପାଇଛନ୍ତି । ଯାହାଫଳରେ ସେମାନେ ଯାହାର ମନ୍ଦ ଚାହାଁନ୍ତି, ସେମାନଙ୍କର ଭଲ ହୁଏ। ସେ ନିଜକୁ ଏହାର ଗୋଟିଏ ଉଦାହରଣ ବୋଲି କହି ମୋଦୀ କହିଥିଲେ, ୨୦ ବର୍ଷ ହେଲା ସେମାନେ ମୋ‌ ପଛରେ ଲାଗିଛନ୍ତି । କିନ୍ତୁ ମୋର କିଛି ହୋଇ ନାହିଁ, ବରଂ ସବୁ ଭଲ ହିଁ ହୋଇଛି ।

ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତି ଆପଣଙ୍କ (ବିରୋଧୀ) ପାଇଁ ଏକ ପ୍ରାଥମିକତା, ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ବିଷୟରେ ଆଲୋଚନା କରିନାହାନ୍ତି | ବିରୋଧୀ ଦେଶର ଯୁବକଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ନୁହଁନ୍ତି ବରଂ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ। ଦେଶବାସୀ ସେମାନଙ୍କୁ ନିଜ କଥା ବୁଝିବା ପାଇଁ ସଂସଦକୁ ପଠାଇଛନ୍ତି । କିନ୍ତୁ ସେମାନେ ଦେଶର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ ଆମ ସରକାର ଉପରେ ଦେଶର ଲୋକଙ୍କ ଅତୁଟ ବିଶ୍ୱାସ ରହିଛି ଏବଂ ମୁଁ ଦେଶର କୋଟି କୋଟି ଲୋକଙ୍କୁ କୃତଜ୍ଞତା ଜଣାଇବାକୁ ଏଠାକୁ ଆସିଛି। ଆଜି ମୁଁ ଦେଖୁଛି, ଆପଣ ନିଷ୍ପତ୍ତି ନେଇସାରିଛନ୍ତି ଓ ଲୋକଙ୍କ ଆଶୀର୍ବାଦରେ ଏନଡିଏ ଏବଂ ବିଜେପି ପୂର୍ବ ରେକର୍ଡ ଭାଙ୍ଗି ଏକ ବଡ଼ ବିଜୟ ସହିତ କ୍ଷମତାକୁ ଫେରିବ ।

ବିରୋଧୀଙ୍କୁ ଆକ୍ରମଣ କରି ସେ କହିଛନ୍ତି ଯେ ଗାଁ, ଗରିବ, ଦଲିତ, ପଛୁଆ, ଆଦିବାସୀ, ସେମାନଙ୍କ କଲ୍ୟାଣ ଏବଂ ଭବିଷ୍ୟତ ପାଇଁ ଏପରି ଅନେକ ବିଲ୍ ଅଛି। କିନ୍ତୁ ସେମାନେ (ବିରୋଧୀ) ଏହାକୁ ନେଇ ଚିନ୍ତିତ ନୁହଁନ୍ତି… ବିରୋଧୀଙ୍କ ଆଚରଣ ଏବଂ ଉଚ୍ଚାରଣରୁ ଏହା ପ୍ରମାଣିତ ହୋଇଛି ଯେ ସେମାନଙ୍କ ପାଇଁ ଦଳ ଦେଶଠାରୁ ଅଧିକ, ଦଳ ଦେଶଠାରୁ ବଡ଼, ଦେଶ ଅପେକ୍ଷା ଊର୍ଦ୍ଧ୍ବରେ ଦଳର ପ୍ରାଥମିକତା । ବିରଧୀ ଗରିବ ଲୋକମାନଙ୍କର ଭୋକ ବିଷୟରେ ଚିନ୍ତିତ ନୁହଁନ୍ତି, ବରଂ କ୍ଷମତା ପାଇଁ ଭୋକିଲା।