ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଲାଇନରେ ଚିଠି ଓ ନଥିପତ୍ର କାର୍ଯ୍ୟର ଶୁଭାରମ୍ଭ  | News Room Odisha

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଲାଇନରେ ଚିଠି ଓ ନଥିପତ୍ର କାର୍ଯ୍ୟର ଶୁଭାରମ୍ଭ 

ମାଲକାନଗିରି – ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଷ୍ଟେଟ୍ ୱାର୍କ ଫ୍ଲୋ ଅଟୋମେସନ୍ ସିଷ୍ଟମ (ଓସ୍ୱାସ୍) ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଶାଲ ସିଂ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଓସ୍ୱାସକୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଗଲେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ୫-ଟି ଅନ୍ତର୍ଗତ କାର୍ଯ୍ୟକ୍ରମରେ ଦକ୍ଷତା ବୃଦ୍ଧି ହେବା ସହ ଅହେତୁକ ବିଳମ୍ବକୁ ରୋକା ଯାଇପାରିବ । ତତ୍ ସହିତ ସ୍ୱଚ୍ଛତା, ଦକ୍ଷତା, ପ୍ରଭାବଶାଳିତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ପାଇଁ ଓସ୍ୱାସ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପକରଣ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ଯ କହିଥିଲେ ଯେ ଅଧିକାରୀ, କର୍ମଚାରୀ ଓ ସର୍ବସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାର ସମସ୍ତ ପ୍ରମୁଖ କାର୍ଯ୍ୟାଳୟ ଗୁଡିକରେ ୬ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ । ଜିଲ୍ଲାପାଳ ୩ଟି ଫାଇଲ କାର୍ଯ୍ଯ ଓସ୍ୱାସ ମାଧ୍ୟମରେ କରି ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ତ୍ରିନାଥ ମାଝୀ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ, ସମସ୍ତ ଡେପୁଟି କଲେକ୍ଟର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଏନଆଇସି ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା କାର୍ଯ୍ୟାଳୟରେ ଏହାର କାର୍ଯ୍ୟକାରିତା ପାଇଁ ଡିଜିଏମ୍, ଶୁଭାଶିଷ ପଟ୍ଟନାୟକ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିପରି ଭୁବନେଶ୍ୱର ଓସ୍ୱାସ୍ ତରଫରୁ ଏକ ବୈଷୟିକ ଦଳ ଏହାର ସୁପରିଚାଳନା ନିମନ୍ତେ ଉପସ୍ଥିତ ଥିଲେ।