ହସ୍ତତନ୍ତ କାରିଗରଙ୍କୁ ପ୍ରୋତ୍ସାହନ: ରାଜ୍ୟ ସରକାର ଆଗୁଆ, କେନ୍ଦ୍ରର ଅଣଦେଖା ପ୍ରଶ୍ନବାଚୀ | News Room Odisha

ହସ୍ତତନ୍ତ କାରିଗରଙ୍କୁ ପ୍ରୋତ୍ସାହନ: ରାଜ୍ୟ ସରକାର ଆଗୁଆ, କେନ୍ଦ୍ରର ଅଣଦେଖା ପ୍ରଶ୍ନବାଚୀ

ବ୍ରହ୍ମପୁର: ରେଶମ ସହର ଭାବେ ସୁପରିଚିତ ବ୍ରହ୍ମପୁର ମହାନଗରରେ ପାଟ ମଠା କାରବାରକୁ ପ୍ରୋତ୍ସାହିତ କରିବାରେ ରାଜ୍ୟ ସରକାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ବୁଣାକାରଙ୍କ ଆୟ ଦ୍ଵିଗୁଣିତ କରିବା, ଗ୍ରାହକଙ୍କ ମନ ମୁତାବକ ଡିଜାଇନ୍‌ ଯୋଗାଇଦେବା ଲକ୍ଷ୍ୟରେ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଗୁରୁତ୍ବ ଦେଉଛି ବୟନ ଶିଳ୍ପ ବିଭାଗ। କମ୍‌ ସମୟ ଓ ସ୍ବଳ୍ପ ଖର୍ଚ୍ଚରେ ଏକକାଳୀନ ଅଧଡଜନେରୁ ଅଧିକ ଶାଢ଼ୀ ପ୍ରସ୍ତୁତ କରିପାରିବା ସହ ବୁଣାକାରଙ୍କ ଯେପରି ଉତ୍ପାଦନ ବଢ଼ିବ, ଯୁଗପଯୋଗୀ ନୂଆ ଡିଜାଇନ୍ ଲୁଗା ବଜାରକୁ ଆଣିବା ଜରିଆରେ ବୁଣାକାରଙ୍କୁ ଉତ୍ସାହିତ ତଥା ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ବୟନ ଶିଳ୍ପ ଉପନିର୍ଦ୍ଦେଶକ ଗୋଲାପୀ ଗୋପରାଣୀ ମୁର୍ମୁ। ୨୦୧୨ରୁ କେନ୍ଦ୍ର ବୟନ ଶିଳ୍ପ ବିଭାଗ ଦ୍ଵାରା ଭୌଗୋଳିକ ସୂଚକାଙ୍କ ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ (ଜିଆଇ) ଟ୍ୟାଗ୍‌ ପାଇଥିବା ବ୍ରହ୍ମପୁରୀ ପାଟର ବର୍ଷକୁ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ୟବସାୟ ହୁଏ।

ଗଞ୍ଜାମ ଜିଲ୍ଲାର ବୁଣାକାରମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଦୃଷ୍ଟିରୁ ରାଜ୍ୟ ସରକାର ବୁଣାକାରଙ୍କୁ ଗୃହ ନିମାଣ ପାଇ ୧.୨୦ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୧୭୫୦୦ ଟଙ୍କା ଇନ୍‌ଭର୍ଟର୍‌ ପାଇଁ ଯୋଗାଇ ଦିଆଯାଉଛି। ବରିଷ୍ଠ ବୁଣାକାରମାନଙ୍କୁ ଭତ୍ତା ପ୍ରଦାନ ସହ ନୂଆ ଶୈଳୀର ତାଲିମ ଦିଆଯାଉଛି। ବ୍ରହ୍ମପୁରରେ ପାଟର ବିକ୍ରିକୁ ସୁଗମ ଓ ବ୍ୟାପକ କରିବା ଦୃଷ୍ଟିରୁ ପାଟ ଭବନ ମଧ୍ୟ ନିର୍ମାଣ ଚାଲିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ କୁକୁଡ଼ାଖଣ୍ଡି ବ୍ଲକ୍‌ ବନ୍ଥପଲ୍ଲୀ ଠାରେ ଏକ ସମନ୍ବିତ ଟେକ୍ସଟାଇଲ୍‌ ପାର୍କ ସ୍ଥାପନ ପରିକଳ୍ପନା କରିଛି। ଏଥିନିମନ୍ତେ ୧୧ କୋଟି ୪୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରାୟ ୧୨ ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ଏହି ପ୍ରକଳ୍ପରେ ଉତ୍ପାଦନ ୟୁନିଟ୍‌, ପ୍ରଦର୍ଶନୀ ସ୍ଥଳ, ଅତିଥି ଭବନ, ଆନୁସଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ରହିଛି।

କିନ୍ତୁ ଏ ଦିଗରେ କେନ୍ଦ୍ର ସରକାରଙ୍କ ଅଣଦେଖା ପ୍ରଶ୍ନବାଚୀ ହୋଇଛି। ଜିଲ୍ଲାର ଅନ୍ୟତମ ପ୍ରାଚୀନ ତଥା ଶହ ଶହ ବର୍ଷ ପୁରୁଣା ବମକେଇ ପାଟଶାଢ଼ିକୁ ଏଯାବତ୍‌ ଜିଆଇ ଟ୍ୟାଗ୍‌ ମିଳିପାରିନି। ଏହି ସ୍ବୀକୃତି ମିଳିଥିଲେ ଉକ୍ତ ଲୋକପ୍ରିୟ ହସ୍ତତନ୍ତର ବିକାଶ, ସଂରକ୍ଷଣ ସୁନିଶ୍ଚିତ ହୋଇପାରନ୍ତା। ପାଟବୁଣାକୁ ନେଇ ଏକଦା ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଥିବା ଏହି ଗାଁର ବୁଣାକାର ଏବେ ନିରୁତ୍ସାହିତ। ଅପରପକ୍ଷରେ ପିଏମ୍‌ ଗତି ଶକ୍ତି ମଡେଲ୍‌ରେ ଦେଶର ୭ ପ୍ରଧାନମନ୍ତ୍ରୀ ମେଗା ଇଣ୍ଡିଗ୍ରେଟେଡ୍ ଟେକ୍ସଟାଇଲ୍‌ ରିଜିଅନ୍ ଆଣ୍ଡ ଆପରାଲ୍‌ (ପିଏମ୍‌ ମିତ୍ର) ନାମରେ ମେଗା ଟେକ୍ସଟାଇଲ୍‌ ପାର୍କ ସ୍ଥାପନ ହେବାର ଯୋଜନା ରହିଛି। ମାତ୍ର ହସ୍ତତନ୍ତ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଶାକୁ ସେଥିରୁ ବାଦ୍‌ ଦିଆଯାଇଛି। ନିକଟରେ ଜିଲ୍ଲା ଗସ୍ତ ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋଷ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଥିଲେ। ଯଦିଓ ୭.୧୨.୨୦୨୨ରେ ମନ୍ତ୍ରୀ ଜର୍ଦୋଷ ଲୋକସଭାରେ ବ୍ରହ୍ମପୁର ସାଂସଦଙ୍କ ଏ ସଂପର୍କିତ ଏକ ପ୍ରଶ୍ନରେ ଗୋପାଳପୁର ଠାରେ ପିଏମ୍‌ ମିତ୍ର ପାର୍କ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ପ୍ରସ୍ତାବ ଦାଖଲ କରିଥିବା ସୂଚନା ଦେଇଥିଲେ। ମାତ୍ର ଖୋଦ୍‌ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ବେଳେ ତାଙ୍କର ଉପରୋକ୍ତ ବୟାନ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା। ଟେକ୍ସଟାଇଲ୍‌ ପାର୍କ ଦ୍ଵାରା ହସ୍ତତନ୍ତ ଉତ୍ପାଦ କ୍ଷେତ୍ରରେ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟ ସରକାର ପ୍ରାଥମିକ ପ୍ରସ୍ତାବ ଦେଇଥିବା ବେଳେ ଏହାର ତର୍ଜମା ଚାଲିଥିବା ଲୋକସଭାରେ ଉତ୍ତର ରଖିଥିବା କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ଓଲଟା ବୟାନ କେନ୍ଦ୍ରର ଅଣଦେଖା ବୋଲି ବୁଣାକାର ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।