ଭୁବନେଶ୍ୱର – ରାଜ୍ୟରେ ଜୁଲାଇ ଶେଷ ଓ ଏହି ମାସ ଆରମ୍ଭରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟାରେ ପ୍ରଭାବିତ ଜିଲ୍ଲାଗୁଡିକରୁ କ୍ଷୟକ୍ଷତି ରିପୋର୍ଟ ମାଗିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନର ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ୨୧ଟି ଜିଲ୍ଲାର ୪ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଏସ ଆରସିଙ୍କ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଥିଲା ଯେ, ବର୍ଷା ଓ ବନ୍ୟା ରେ ୨୧ଟି ଜିଲ୍ଲାରେ ୪ ଲକ୍ଷ ୧୧ ହଜାର ୩୩୮ ଲୋକ ପ୍ରଭାବିତ ହୋଇଛନ୍ତି। ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା ବେଳେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା ।