ବନ୍ୟା ନିୟନ୍ତ୍ରଣ ସମନ୍ବୟ ବୈଠକକୁ ପୁଣି ବାତିଲ କଲା ଛତିଶଗଡ, କେନ୍ଦ୍ର ବି ନିର୍ବିଘ୍ନରେ  | News Room Odisha

ବନ୍ୟା ନିୟନ୍ତ୍ରଣ ସମନ୍ବୟ ବୈଠକକୁ ପୁଣି ବାତିଲ କଲା ଛତିଶଗଡ, କେନ୍ଦ୍ର ବି ନିର୍ବିଘ୍ନରେ 

ସମ୍ବଲପୁର : ଓଡିଶାର ବନ୍ୟା ପରିଚାଳନା ଭଳି ଗୁରୁତ୍ବପୂର୍ଣ ପ୍ରସଙ୍ଗରେ ଛତିଶଗଡ ବାରମ୍ବାର ଅବହେଳା କରି ଆସୁଛି। ଏପରିକି କ୍ରମାଗତ ୪ ବର୍ଷ ହେଲା ଉଭୟ ରାଜ୍ୟରେ ସମନ୍ବୟ ବୈଠକ ବନ୍ଦ ହୋଇଥିବା ବେଳେ ପ୍ରତିବର୍ଷ ଛତିଶଗଡ ହିଁ ପ୍ରତାରଣା କରି ଆସୁଛି। ଆଉ ଚଳିତବର୍ଷ ମଧ୍ୟ ଏହି ବୈଠକ ଏକପ୍ରକାର ବାତିଲ ହୋଇସାରିଥିବା ନେଇ ଜଣାପଡିଛି। ଏପରିକି ହୀରାକୁଦ ମୁଖ୍ୟଯନ୍ତ୍ରୀ ମଧ୍ୟ ଏବର୍ଷ ଏହି ଗୁରୁତ୍ବପୂର୍ଣ ବୈଠକ ହେବାର ଆଉ ଆଶା ନଥିବା ପ୍ରକାଶ କରିଛନ୍ତି। ସେପଟେ, ଛତିଶଗଡ ବନ୍ୟା ପରିଚାଳନା ସଂପର୍କିତ ତଥା ସେଠାକାର ବନ୍ଧ ଓ ବ୍ୟାରେଜର ଜଳ ପରିଚାଳନା ସଂପର୍କିତ କୌଣସି ତଥ୍ୟ ଓଡିଶାକୁ ଦେଉନଥିବା ନେଇ ହୀରାକୁଦ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ତଥାପି ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରିବା କେନ୍ଦ୍ରୀୟ ଜଳ ଆୟୋଗର ଦାୟିତ୍ବ ହୋଇଥିଲେ ବି ଏହାକୁ କେନ୍ଦ୍ର ସାଂଘାତିକ ଅବହେଳା କରୁଥିବା ଅଭିଯୋଗ ହେଉଛି। ଅଧା ଓଡିଶାର ଧନଜୀବନର ପ୍ରଶ୍ନ ସହିତ ଜଡିତ ଏହି ପ୍ରସଙ୍ଗକୁ କେନ୍ଦ୍ରର ଏଭଳି ବେମାତୃକ ମନୋଭାବ ସାରା ରାଜ୍ୟରେ ଅସନ୍ତୋଷର କାରଣ ହେଲାଣି।
ମହାନଦୀର ୮୫ ପ୍ରତିଶତ ଅବବାହିକା ଛତିଶଗଡରେ ରହିଛି। ତେଣୁ, ଓଡିଶାର ବନ୍ୟା ପରିଚାଳନା ସଂପୂର୍ଣ ରୂପେ ଛତିଶଗଡର ତଥ୍ୟ ତଥା ସମନ୍ବୟ ଉପରେ ହିଁ ନିର୍ଭରଶୀଳ। ଏଥିପାଇଁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ଅଧୀନରେ ଥିବା ଜାତୀୟ ବନ୍ଧ ନିରାପତ୍ତା (ଏନସିଡିଏସ) ପକ୍ଷରୁ ପ୍ରତିବର୍ଷ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥାଏ। ଏହି ବୈଠକରେ ବନ୍ୟା ପରିଚାଳନାରେ ତଥ୍ୟର ଆଦାନପ୍ରଦାନରୁ ଆରମ୍ଭ କରି ଅବବାହିକାର ସୁରକ୍ଷା, ମୃତ୍ତିକା ସଂରକ୍ଷଣ ଆଦି ବହୁ ଗୁରୁତ୍ବପୂର୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାଏ।   ନିୟମ ଅନୁଯାୟୀ, ଏନସିଡିଏସ ପକ୍ଷରୁ ଏହି ବୈଠକ ପାଇଁ ତାରିଖ ଏବଂ ସ୍ଥାନ ଧାର୍ଯ୍ୟ କରି ଉଭୟ ରାଜ୍ୟକୁ ଅବଗତ କରିବା କଥା। ହେଲେ ପ୍ରତିବର୍ଷ ଏନସିଡିଏସର ସ୍ଥାଣୁତା ଯୋଗୁଁ ଓଡିଶା ସରକାରଙ୍କ ପକ୍ଷରୁ ହିଁ ଏହି ବୈଠକ ପାଇଁ ମୌସୁମୀ ଅବଧି ଆରମ୍ଭ ହେବା ମାତ୍ରେ ତତ୍ପରତା ପ୍ରକାଶ ପାଇଥାଏ। ଓଡିଶା ସରକାର ନିଜ ତରଫରୁ ଛତିଶଗଡକୁ ବାରମ୍ବାର ପତ୍ର ଲେଖି ବୈଠକ କରି କରାଉଥିଲେ। ତେବେ, ପୂର୍ବରୁ ଏହା ନିୟମିତ ଚାଲି ଆସିଥିବା ବେଳେ ୪ ବର୍ଷ ହେଲା ଏହି ବୈଠକ ସଂପୂର୍ଣ ବନ୍ଦ ହୋଇଯାଇଛି। ଓଡିଶାର ବାରମ୍ବାର ଅନୁରୋଧ ସତ୍ତ୍ବେ ଛତିଶଗଡ କୌଣସି ଉତ୍ତର ଦେଉନାହିଁ। ଏପରିକି ସ୍ଥାନ ଏବଂ ତାରିଖ ଧାର୍ଯ୍ୟ କରିବାକୁ ଛତିଶଗଡକୁ ବି ଓଡିଶା ଦାୟିତ୍ବ ଦେବା ସତ୍ତ୍ବେ ବି କୌଣସି ସୁଫଳ ମିଳୁନାହିଁ। ତଥାପି ଏନସିଡିଏସ ନିରବ ରହୁଥିବାରୁ ଛତିଶଗଡ ତାର ମନମୁଖୀ ଚଲାଇ ଆସିଛି। ଏନେଇ ଛତିଶଗଡ ଉପରେ କୌଣସି ଅଙ୍କୁଶ ବି କେନ୍ଦ୍ର ଲଗାଉନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।
ଅପରପକ୍ଷେ, ଏହି ବୈଠକ ହେଉନଥିବାରୁ ସମନ୍ବୟର ଘୋର ଅଭାବ ଦେଖା ଦେଇଛି। ମହାନଦୀ ବିବାଦ ହେବାର ପ୍ରାୟ ୪ ବର୍ଷ ପରେ ଛତିଶଗଡ ସେଠାକାରଜଳ ପରିଚାଳନା ସଂପର୍କିତ ତଥ୍ୟ ଦେବା ବନ୍ଦ କରି ଦେଇଛି। ସେଠାରେ ଥିବା ରବିଶଙ୍କର, ଗାଂଗରେଲ ଭଳି ବଡ ବଡ ଡ୍ୟାମ୍ ସମେତ କଲମା ଏବଂ କେଲୋର ଗେଟ୍ ସ୍ଥିତି ନେଇ କୌଣସି ସୂଚନା ଆସୁନାହିଁ ବୋଲି ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହି ସାରିଛନ୍ତି। ଏପରିକି ଛତିଶଗଡର ଏଭଳି ମନୋଭାବ ନେଇ କେନ୍ଦ୍ରକୁ ବି ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ଫଳରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ନିଜସ୍ବ ଉଦ୍ୟମରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ତଥା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନକୁ ଭିତ୍ତି କରି ବନ୍ୟା ପରିଚାଳନା କରୁଛନ୍ତି। ଏଭଳି ସ୍ଥିତିରେ ଅଧା ଓଡିଶାର ଧନଜୀବନର ପ୍ରଶ୍ନ ସହିତ ଜଡିତ ସମ୍ବେଦନଶୀଳ ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ବାରମ୍ବାର ଅଣଦେଖା କରିବା ଘଟଣା ଲୋକଙ୍କ ମଧ୍ୟରେ ଅସନ୍ତୋଷର କାରଣ ହେଲାଣି। ମୋଟ ଉପରେ କହିବାକୁ ଗଲେ ଏବର୍ଷ ମଧ୍ୟ ସମନ୍ବୟ ବୈଠକ ବାତିଲ ହେବା ଏକପ୍ରକାର ଥୟ ହୋଇସାରିଛି। ନିୟମ ଅନୁଯାୟୀ, ଏହି ବୈଠକ ପ୍ରତିବର୍ଷ ଜୁନ ପ୍ରଥମ ସପ୍ତାହରେ ହେବା କଥା। ହେଲେ ଏବର୍ଷ ମୌସୁମୀ ଅଧା ବିତିବା ପରେ ବି ବୈଠକ ନେଇ ସାମାନ୍ୟତମ ତତ୍ପରତା ଛତିଶଗଡ କିମ୍ବା କେନ୍ଦ୍ର ସରକାର ଦେଖାଇନଥିବାରୁ ଏବର୍ଷ ବି ବୈଠକର କୌଣସି ସମ୍ଭାବନା ନଥିବା ହୀରାକୁଦ ମୁଖ୍ୟଯନ୍ତ୍ରୀ ଇଂ ସାହୁ ସୂଚନା ଦେଇଛନ୍ତି।