ଫିରିଙ୍ଗିଆ ଥାନା ପୋଡି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ପୋଲିସ ଆଶ୍ୱସ୍ତ, ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ | News Room Odisha

ଫିରିଙ୍ଗିଆ ଥାନା ପୋଡି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ପୋଲିସ ଆଶ୍ୱସ୍ତ, ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ

ବାଲିଗୁଡ଼ା – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କନ୍ଧମାଳ ପୋଲିସର ମୋଷ୍ଟ ୱ୍ୟାଣ୍ଟେଡ୍ ତାଲିକା ରେ ଥିବା ବିଶ୍ବରଞ୍ଜନ କହଁର ଓରଫ ବାପିକୁ ଗିରଫ କରାଯାଇଛି । ଶନିବାର ରାତିରେ ଫିରିଙ୍ଗିଆ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନୟାଗଡ଼ ଜିଲ୍ଲାରୁ ତାକୁ କାବୁ କରି ବାରେ ସଫଳ ହୋଇଛି। ବିଶ୍ଵରଞ୍ଜନ ଗିରଫ ହେବା ପରେ ପୋଲିସକୁ ଆଶ୍ୱସ୍ତି ମିଳିଛି। ବିଶ୍ୱରଞ୍ଜନ ଫିରିଙ୍ଗିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ ।ବର୍ତ୍ତମାନ ତାଙ୍କ ପତ୍ନୀ ଫିରିଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ଅଛନ୍ତି। ତାଙ୍କ ନିଜ ଗ୍ରାମ ଫିରିଙ୍ଗିଆ ସ୍ଥିତ ସିମିଳି ସାହି ହୋଇ ଥିବା ବେଳେ ବିଶ୍ଵରଞ୍ଜନଙ୍କ ଇଙ୍ଗିତ ରେ ହିଁ ଉତ୍ତ୍ୟକ୍ତ ଜନତା ଥାନାରେ ନିଆଁ ଲଗାଇ ଦେଇଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଏହି ଘଟଣାରେ ପୁଲିସ ୩୦୦ ଜଣକ ନାମରେ ମାମଲା ରୁଜୁ କରି ଥିବା ବେଳେ ପୂର୍ବରୁ ୨୩ ଜଣକୁ ଗିରଫ କରିଛି । ଶନିବାର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାର ସହଯୋଗୀ ଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଥିବା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ସୁଚନା ଦେଇଛନ୍ତି।

ଥାନା ପୋଡି ଘଟଣା ପରେ ବର୍ତ୍ତମାନ ସ୍ଥିତି ସ୍ବାଭାବିକ କରିବାକୁ ପ୍ରୟାସ ଆରମ୍ଭ କରିଛି ପୋଲିସ। ଫିରିଙ୍ଗିଆ ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରବିବାର ଥାନା ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡେପୁଟି କମାଣ୍ଡେଣ୍ଟ୍ ପ୍ରଦୀପ୍ତ କୁମାର ରାଉତ, ଅଷ୍ଟମ ଆଇଆରବି ସୁବେଦାର ଦାସରଥି ସୁରେନ, ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ଉପସ୍ଥିତ ରହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଜନ ସାଧାରଣଙ୍କୁ ନିବେଦନ କରିବା ସହ ନିର୍ଭୟରେ ଥାନା ଅଧିକାରୀଙ୍କ ସହିତ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ବ୍ଲକର ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ୱାର୍ଡ ମେମ୍ବର,ବଣିକ ସଂଘର ସଦସ୍ୟ,ବରିଷ୍ଠ ନାଗରିକ ସ୍ବେଚ୍ଛାସେବୀ, ବୁଦ୍ଧିଜୀବି ଏବଂ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ। ପୋଲିସ ପ୍ରଶାସନ ଜନସାଧାରଣଙ୍କ ମତାମତ ଲୋଡିଥିଲେ। ଶାନ୍ତି ପ୍ରତିଷ୍ଠା ପାଇଁ ଉପସ୍ଥିତ ସମସ୍ତ ଜନସାଧାରଣ ସହମତି ପ୍ରକାଶ କରିଥିଲେ ।