ଭାରତୀୟ ହିଁ ଆମର ପରିଚୟ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | News Room Odisha

ଭାରତୀୟ ହିଁ ଆମର ପରିଚୟ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ – ଜାତି-ଧର୍ମ ନୁହେଁ, ‘ଭାରତୀୟ’ ହିଁ ଆମର ଅସଲ ପରିଚୟ। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଭାରତୀୟ ନାଗରିକ ହେବା ଆମ ପାଇଁ ସବୁଠାରୁ ବଡ଼ ପରିଚୟ ।ଆମ ସ୍ୱାଧୀନତା ସଂଗ୍ରାମର ଆଧାରଶିଳା ସତ୍ୟ ଓ ଅହିଂସା ।
ଏହି ଆଧାରଶିଳାକୁ ଅନେକ ଦେଶ ଆପଣାଇଛନ୍ତି ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି।

ସ୍ୱାଧୀନତା ଦିବସ ଆମକୁ ମନେ ପକାଇ ଦିଏ ଯେ ଆମେ ବିଶ୍ୱର ସର୍ବବୃହତ ନାଗରିକ ସମ୍ପ୍ରଦାୟର ସଦସ୍ୟ । ଉପନିବେଶ ଶାସନ ଏହାର ଅନ୍ତ ଘଟାଇବାକୁ ଚେଷ୍ଟା କରିଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନ ହୋଇଥିଲୁ। ଆମର ସ୍ୱାଧୀନତା ଆନ୍ଦୋଳନ ଅଦ୍ଭୁତ ଥିଲା । ସଂଗ୍ରାମୀମାନେ ଆମ ମହାନ ସଭ୍ୟତାର ମୂଲ୍ୟବୋଧକୁ ସେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ। ଆମ ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧ ସତ୍ୟ ଓ ଅହିଂସାକୁ ସମଗ୍ର ବିଶ୍ୱରେ ଗ୍ରହଣ କରାଯାଇଛି ।

ରାଷ୍ଟ୍ରପତି କହିଛନ୍ତି ଯେ ଆମ ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ ଦସ୍ତାବିଜ। ସମ୍ବିଧାନର ପ୍ରସ୍ତାବନାରେ ଆମ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ରହିଛି । ସମ୍ବିଧାନ ପ୍ରତିଷ୍ଠାତାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଭାବନା ସହ ଆଗକୁ ବଢ଼ିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ରପତି କହିଛନ୍ତି ଯେ,ଆଜି ମହିଳାମାନେ ବିକାଶ ଓ ଦେଶସେବାରେ ଆଗରେ ଅଛନ୍ତି । ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ଆର୍ଥିକ ସଶକ୍ତୀକରଣ ଯୋଗୁଁ ମହିଳାଙ୍କ ସ୍ଥିତି ମଜବୁତ ହୋଇପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷା ସାମାଜିକ ସଶକ୍ତୀକରଣର ସବୁଠାରୁ ବଡ଼ ମାଧ୍ୟମ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେ କହିଛନ୍ତି ଯେ, ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ଅବତରଣକୁ ସମସ୍ତେ ଅପେକ୍ଷା କରିଛନ୍ତି । ମୁଦ୍ରାସ୍ଫୀତି ନେଇ ଚିନ୍ତା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ଏହା ଏକ ବିପଦ ଭାବେ ବିଶ୍ବ ଆଗରେ ଛିଡ଼ା ହୋଇଛି । ରାଷ୍ଟ୍ରପତି କହିଛନ୍ତି ଯେ, ସାମ୍ନା କରୁଥିବା ଆହ୍ବାନକୁ ସୁଯୋଗରେ ପରିଣତ କରିଛି ଭାରତ ।