ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ, ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ | News Room Odisha

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ, ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ବରଗଡ଼: ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଆଜି ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ସେ ଅଭିଭାଷଣ ରେ ସ୍ବାଧୀନତା ସଂଗ୍ରାମରେ ଏ ଜିଲ୍ଲା ର ଅବଦାନ ଅତୁଳନୀୟ। ଯାହାକୁ ସମସ୍ତ ପୀଢ଼ି ମନେ ରଖିବ ବୋଲି କହିଥିଲେ । ସେହିପରି ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନାରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ରିଜର୍ଭ ପୋଲିସ ଇନ୍ସପେକ୍ଟର ଙ୍କ ନେତୃତ୍ୱରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୪ଟି ଦଳ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଏସପି ପ୍ରହଲ୍ଲାଦ ମୀନା ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପରିଚାଳନା କରିଥିଲେ। ସେହିପରି ଆଜି ଦିନ ତମାମ ଚାଲିଥିବା କାର୍ଯ୍ୟକ୍ରମ ମଧ୍ୟରେ ସକାଳୁ ପ୍ରଭାବିତ ଫେରି,ରାମଧୂନ ପରିବେଷଣ, ସହରରେ ଥିବା ସ୍ବାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଡାକ୍ତରଖାନା ରେ ଚିକିତ୍ସାଧିନ ଥିବା ରୋଗୀ ଓ ଜେଲ୍ ରେ ଥିବା ବିଚାର ଦିନ ବନ୍ଦିଙ୍କୁ ମନ୍ତ୍ରୀ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।