ସ୍ୱଚ୍ଛତା ସର୍ବେକ୍ଷଣରେ ଜନମତ ସଂଗ୍ରହ: ଟପ୍ ୩ରେ ବିଇଏମ୍‌ସି | News Room Odisha

ସ୍ୱଚ୍ଛତା ସର୍ବେକ୍ଷଣରେ ଜନମତ ସଂଗ୍ରହ: ଟପ୍ ୩ରେ ବିଇଏମ୍‌ସି

ବ୍ରହ୍ମପୁର: ସ୍ୱଚ୍ଛତା ସର୍ଭେ ଦୃଷ୍ଟିରୁ ସାରା ଦେଶର ପ୍ରମୁଖ ଛୋଟ ବଡ଼ ସହରଗୁଡ଼ିକ ମଧ୍ୟରେ ଏବେ ଏକରକମ ମୁକାବିଲା ହେଉଛି। ବିଭିନ୍ନ ବର୍ଗରେ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ସହର ତଥା ଏନ୍‌ଏସି, ପୌରପାଳିକା ଓ ମହାନଗର ଗୁଡ଼ିକୁ ରାଙ୍କିଙ୍ଗ୍ ପ୍ରଦାନ କରୁଛି କେନ୍ଦ୍ର ସହରାଞ୍ଚଳ ଉନ୍ନୟନ ବିଭାଗ। ସ୍ବଚ୍ଛ ସର୍ବେକ୍ଷଣରେ ଯିଏ ଯେତେ ଆଗରେ ରହିପାରିବ ସେହି ସହର ସଫେଇ, ପରିମଳ ତଥା ସହରବାସୀଙ୍କ ସ୍ବଚ୍ଛ ଜୀବନଯାପନ ଦୃଷ୍ଟିରୁ ସେତେ ଅଗ୍ରଣୀ ବୋଲି ଗ୍ରହଣ କରାଯିବ। ଏହି ସର୍ଭେରେ ଏକ ଗୁରୁତ୍ଵପୂର୍ଣ୍ଣ ସୂଚକାଙ୍କ ହେଉଛି ଜନମତ ସଂଗ୍ରହ ଅଭିଯାନ। ଆମ ରାଜ୍ୟରେ ମଧ୍ୟ ସ୍ବଚ୍ଛ ସର୍ଭେ ଜନମତ ସଂଗ୍ରହ ପରିପ୍ରେକ୍ଷୀରେ ବ୍ରହ୍ମପୁର
ମହାନଗର ଟପ୍-୩ରେ ରହିବାକୁ ଜୋରଦାର ପ୍ରୟାସ କରୁଛି।

ପୂର୍ବରୁ କ୍ରମାନ୍ଵୟରେ ତିନି ଥର ଏକ ନମ୍ବର ସ୍ଥାନରେ ଥିବା ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ଗତ ବର୍ଷ କିନ୍ତୁ ଚତୁର୍ଥ ସ୍ଥାନକୁ ଖସି ଆସିଥିଲା। ଏଥର ମଧ୍ୟ ଜନମତ ସଂଗ୍ରହ ଆରମ୍ଭରେ ବ୍ରହ୍ମପୁର ମହାନଗରର ଗତି ବେଶ୍ ଧିମା ଥିଲା। ଏଣୁ ଆମ ରାଜ୍ୟର ସମସ୍ତ ବର୍ଗର ସହରାଞ୍ଚଳ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଥିଲା ବିଇଏମ୍‌ସି। ତେବେ ଧିରେ ଧିରେ ସ୍ଥିତିରେ ଉନ୍ନତି ଘଟି ଏବେ ଟପ୍-୩ ମଧ୍ୟରେ ଏଣ୍ଟ୍ରି କରିଛି ବିଇଏମ୍‌ସି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହି ସର୍ଭେ ଅବଧି ରହିଛି। ତିନୋଟି ଭିନ୍ନ ମାଧ୍ୟମରେ ଏହି ଜନମତ ହାସଲ କରାଯାଉଛି। ସ୍ବଚ୍ଛ ସର୍ବେକ୍ଷଣ ୱେବ୍‌ସାଇଟ୍, ଭୋଟ୍ ଫର୍ ୟୋର୍ ସିଟି ଏବଂ ସ୍ଵଚ୍ଛତା ଆପ୍ ଜରିଆରେ ହାସଲ କରାଯାଇଥିବା ଭୋଟକୁ ଗଣତି କରି କୌଣସି ସହରର ସ୍ଥାନ ବିବେଚନା କରାଯାଉଛି। ଏହି ତିନୋଟି ୱେବ୍‌ସାଇଟ୍ ତଥା ଆପ୍ ଜରିଆରେ ପାଇଥିବା ଭୋଟ ହିସାବକୁ ନିଆଗଲେ ଗତ ସପ୍ତାହରେ ଭୁବନେଶ୍ବର ପ୍ରଥମ ଓ ରାଉରକେଲା ଦ୍ଵିତୀୟ ସ୍ଥାନରେ ରହିଥିଲା। ବ୍ରହ୍ମପୁର ମହାନଗର ନିଗମ ତୃତୀୟ ସ୍ଥାନରେ ରହିଥିବା ବେଳେ ଉଲ୍ଲେଖନୀୟ ଭାବେ ହିଞ୍ଜିଳିକାଟୁ ଚତୁର୍ଥ ସ୍ଥାନରେ ରହିଥିଲା।

ପ୍ରକାଶଥାଉକି ସହରାଞ୍ଚଳଗୁଡ଼ିକର ସ୍ଵଚ୍ଛତା ମାପ ପାଇଁ ୨୦୧୬ରୁ ଆରମ୍ଭ ହୋଇଛି ସ୍ୱଚ୍ଛତା ସର୍ଭେ। ସର୍ବେକ୍ଷଣ ରାଙ୍କ୍ ପାଇଁ ଚାରୋଟି ପର୍ଯ୍ୟାୟ (ତିନି ମାସ ଲେଖାଏଁ)ରେ ସ୍ୱଚ୍ଛତା ଅନୁଧ୍ୟାନ କରାଯାଉଛି। ଶେଷ ପର୍ଯ୍ୟାୟ ମୂଲ୍ୟାଙ୍କନ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିଲା। ବିଶେଷକରି ଲୋକଙ୍କ ଦ୍ବାରରୁ ଆବର୍ଜନା ସଂଗ୍ରହ, ଶୂନ୍ୟ ବର୍ଜ୍ୟବସ୍ତୁ କାର୍ଯ୍ୟକ୍ରମ, ଭିନ୍ନକ୍ଷମଙ୍କ ନିମନ୍ତେ ସୁବିଧା ସୁଯୋଗ ଉପଲବ୍ଧ ଥିବା ଶୌଚାଳୟ, ଉନ୍ନତ ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା ଏବଂ ଘର ପଛପାର୍ଶ୍ଵରେ ରହିଥିବା ଡ୍ରେନ୍ ସଫେଇ ଆଦି ବିଷୟକୁ ବିଚାରକୁ ନେଇ ଜନମତ ସଂଗ୍ରହ ଚାଲିଛି।