ମାର୍କେଟ ବିଲ୍ଡିଂ ପୁଣି ଅଶାନ୍ତ, ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ସ୍ଥିତି | News Room Odisha

ମାର୍କେଟ ବିଲ୍ଡିଂ ପୁଣି ଅଶାନ୍ତ, ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ସ୍ଥିତି

ଭୁବନେଶ୍ୱର – ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉଠାଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବିରୋଧ କରିଛି । ଉଠା ଦୋକାନୀମାନେ ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।

ଆଜି ଅପରାହ୍ନରେ ଉଠା ଦୋକାନୀମାନେ ମାର୍କେଟ ବିଲ୍‌ଡିଂରେ ନିଜର ପସରା ମେଲାଇବାକୁ ଚେଷ୍ଟା କରିଥିଲେ। ହେଲେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତାମାନେ ସେମାନଙ୍କୁ ବିରୋଧ କରି ଏଠାରେ ଦୋକାନ ଖୋଲିପାରିବ ନାହିଁ ବୋଲି କହିଥିଲେ। ଏହାକୁ କେନ୍ଦ୍ର କରି ଉଠା ଦୋକାନୀ ଓ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଉଭୟଙ୍କ ଭିତରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ମାର୍କେଟ ବିଲ୍‌ଡିଂରେ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ପୂର୍ବରୁ ମଧ୍ୟ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ମାର୍କେଟ ବିଲ୍‌ଡିଂକୁ ୧୫ ଦିନ ପାଇଁ ବନ୍ଦ କରିଦେଇଥିଲା ଭୁବନେଶ୍ୱର ମହାନଗର ନିଗମ -ବିଏମ୍‌ସି । ଦୀର୍ଘ ୧୫ ଦିନ ପରେ ବହୁ ବୁଝାସୁଝା ପରେ ମାର୍କେଟ ବିଲ୍‌ଡିଂ ଖୋଲିଥିଲା।