ବିଇଏମ୍‌ସି ସ୍ବତନ୍ତ୍ର କାଉନ୍‌ସିଲ୍ ବୈଠକ: ହେବ ୨୦.୩୬ କୋଟିର ପେଭର୍ ବ୍ଲକ୍ ରାସ୍ତା | News Room Odisha

ବିଇଏମ୍‌ସି ସ୍ବତନ୍ତ୍ର କାଉନ୍‌ସିଲ୍ ବୈଠକ: ହେବ ୨୦.୩୬ କୋଟିର ପେଭର୍ ବ୍ଲକ୍ ରାସ୍ତା

ବ୍ରହ୍ମପୁର: ମହାନଗରର ୪୨ ଓ୍ବାର୍ଡରେ ୬୯ଟି ରାସ୍ତା ହେବ ପେଭର୍ ବ୍ଲକ୍ ରୋଡ୍। ଏଥିପାଇଁ ଖର୍ଚ୍ଚ ହେବ ୨୦ କୋଟି ୩୬ ଲକ୍ଷ ଟଙ୍କା। କଚ୍ଚା ବା କଂକ୍ରିଟ୍ ରାସ୍ତା ବଦଳରେ ଆକର୍ଷଣୀୟ ଓ ରଙ୍ଗବେରଙ୍ଗ ତଥା ବିଭିନ୍ନ ଡିଜାଇନର୍ ସଡ଼କ ଲୋକଙ୍କ ଯାତାୟାତ ପାଇଁ ଯେତେ ସୁବିଧାଜନକ ହେବ, ସେତିକି ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବ। ବିଇଏମସି ସ୍ବତନ୍ତ୍ର କାଉନସିଲ୍‌ ବୈଠକରେ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ତିନି ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହାବାଦେ ଅତିରିକ୍ତ ପେଭର୍ ବ୍ଲକ୍‌ ବିଛାଯିବା ପାଇଁ କର୍ପୋରେଟର୍‌ଙ୍କ ଠାରୁ ପ୍ରସ୍ତାବ ମଧ୍ୟ ଆହ୍ଵାନ କରାଯାଇଛି।

ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ପ୍ରକାରେ ମହାନଗରର କଚ୍ଚା ଓ ଡବ୍ଲ୍ୟୁବିଏମ୍ ରୋଡ୍ ପେଭର୍ ବ୍ଲକରେ ଆଚ୍ଛାଦିତ କରାଯିବ। କେଉଁ ୬୯ଟି ରାସ୍ତାରେ ଏଭଳି କାର୍ଯ୍ୟ କରାଯିବ ତାହାର ତାଲିକା ପ୍ରସ୍ତୁତ କରିଛି ବିଇଏମ୍‌ସି ବୈଷୟିକ ବିଭାଗ। ବିଇଏମସି ବୈଠକରେ ଏହି ପ୍ରସ୍ତାବକୁ ଗୃହୀତ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯିବ। ଶୀଘ୍ର ଏହି କାମ ଆରମ୍ଭ ହୋଇଯିବ। ମେୟର୍ ସଂଘମିତ୍ରା ଦଳେଇଙ୍କ ଅଧ୍ଯକ୍ଷତାରେ ଅନୃଷ୍ଠିତ କାଉନସିଲ୍ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି।

ଚଳିତ ମାସ ୨୨ ତାରିଖ ସୁଦ୍ଧା ଟେଣ୍ଡର୍‌ ଆହ୍ଵାନ, ସେପ୍ଟେମ୍ବର ୨ ସୁଦ୍ଧା ବିଡ୍‌ ଓପନ୍‌, ୮ ତାରିଖ ସୁଦ୍ଧା କାର୍ଯ୍ୟାଦେଶ ବଣ୍ଟନ, ୧୦ ସୁଦ୍ଧା କାର୍ଯ୍ୟାରମ୍ଭ ଏବଂ ନଭେମ୍ବର ୨୦ ସୁଦ୍ଧା କଚ୍ଚା ଓ ଡବ୍ଲ୍ୟୁବିଏମ୍‌ ରୋଡ୍‌ରେ ପେଭର୍ ବ୍ଲକ୍ ବିଚ୍ଛାଯିବ। ବିଇଏମ୍‌ସି ଇଞ୍ଜିନିୟରିଂ ବିଭାଗ ଅଟକଳ ପ୍ରସ୍ତୁତ କରିଥଲା ଯାହା ବୁଧବାର ସ୍ବତନ୍ତ୍ର କାଉନ୍‌ସିଲ୍‌ ବୈଠକରେ ଗୃହୀତ ହୋଇଛି। ଉକ୍ତ ୬୯ଟି ରାସ୍ତା ବ୍ୟତୀତ ଆଉ କିଛି ସଡ଼କରେ ମଧ୍ୟ ପେଭର୍‌ ବ୍ଲକ୍ ବିଛାଇବାକୁ ଇଚ୍ଛା ପ୍ରକାଶ କରିବାରୁ ତାଲିକା ଦାଖଲ କରିବାକୁ କମିଶନର୍‌ ଜେ. ସୋନାଲ କହିଥଲେ। ମେୟରଙ୍କ ଅଧ୍ଯକ୍ଷତାରେ ନୂତନ ସମ୍ମିଳନୀ ଗୃହରେ ହୋଇଥିବା ବୈଠକରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର ଇ.ବିବେକ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।