ଓଡ଼ିଶା ଗସ୍ତରେ ଝାଡଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ  | News Room Odisha

ଓଡ଼ିଶା ଗସ୍ତରେ ଝାଡଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ 

ଭୁବନେଶ୍ବର- ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଅଜୟ ସିଂ ଓଡିଶା ଗସ୍ତରେ ଆସି ରାଜ୍ୟ ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନ କରିଛନ୍ତି । ଅଜୟ ସିଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ବନ୍ଧୀୟ କାର୍ଯ୍ୟ ଶୈଳୀ ସଂପର୍କରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଅପରାହ୍ନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଝାଡଖଣ୍ଡର ପ୍ରମୁଖ ଶାସନ ସଚିବଙ୍କୁ ସ୍ଵାଗତ କରିବା ସହ ଓଡିଶାରେ ଗ୍ରାମ୍ଯ ଉନ୍ନୟନ ବିଭାଗର ରୂପରେଖ, ପ୍ରଣିତ ହେଉଥିବା ବିଭିନ୍ନ ଯୋଜନା ଏବଂ ଓଡିଶାରେ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଏହାର ସଫଳ ରୂପାୟନ ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ | ବିଭାଗର କାର୍ଯ୍ୟଧାରା ଦ୍ବାରା ଓଡିଶାରେ ପ୍ରଶାସନ ଲୋକାଭିମୁଖୀ ହେବା ସହ ବିଭାଗ ଗ୍ରାମୀଣ ଭିତ୍ତିଭୂମି ମଜଭୁତ କରିବାରେ ସହାୟକ ହୋଇ ପାରିଛି ବୋଲି ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂ ଝାଡଖଣ୍ଡ ସଚିବଙ୍କୁ କହିଥିଲେ |

ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପର୍କରେ ବିସ୍ତୃତ ସୂଚନା ଦେବାକୁ ଯାଇ ସଚିବ ସଂଜୟ କୁମାର ସିଂ କହିଲେ ଯେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ବିଭାଗ ବହୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସଂପାଦନ କରୁଛି । ସେଥିମଧ୍ୟରୁ ରାସ୍ତା, ଗୃହ ନିର୍ମାଣ ଓ ସେତୁ ନିର୍ମାଣ ଆଦି ବିଭାଗର ପ୍ରମୁଖ କାର୍ଯ୍ୟ ଥ‌ିବା ବେଳେ ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ବିଜୁ ସେତୁ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଉପରେ ପିପିଟି ମାଧ୍ୟମରେ ଝାଡଖଣ୍ଡ ସଚିବଙ୍କୁ ଅବଗତ କରାଇଥିଲେ ।

ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର, ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି | ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ପାଇଁ ରାଜ୍ୟ ବଜେଟର ଅନୁଦାନ ଏବଂ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ବିଷୟରେ ଝାଡ଼ଖଣ୍ଡ ଶ୍ରୀ ଅଜୟ ସିଂଙ୍କୁ ସୂଚନା ଦିଆ ଯାଇଥିଲା | ଆଗାମୀ ୫ ବର୍ଷ ପାଇଁ ବିଭାଗ ତରଫରୁ ହାତକୁ ନେଇଥିବା ପ୍ରକଳ୍ପ ଏବଂ ଲକ୍ଷ୍ୟ ହାସଲ ଦିଗରେ ନିଆ ଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରା ଯାଇଥିଲା |

ପରେ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଅଜୟ ସିଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ କେତେଗୁଡିଏ ନିର୍ଦ୍ଦିଷ୍ଟ ବିଷୟରେ ପଚାରି ବୁଝିଥିଲେ । ନୂଆ ନୂଆ ଜ୍ଞାନକୌଶଳରେ ନିର୍ମିତ ରାସ୍ତା ଓ ସେତୁ ନିର୍ମାଣର ଭିଡ଼ିଓ ଚିତ୍ର ପ୍ରଦର୍ଶନ କରା ଯାଇଥିଲା । ଆସନ୍ତା ୧୯ ତାରିଖରେ ଝାଡଖଣ୍ଡ ସଚିବ ଅଜୟ ସିଂ ଓଡିଶା ଟିମ ସହିତ କ୍ଷେତ୍ର ପରିଦର୍ଶନରେ ଯିବେ ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ପ୍ରଧାନ , ମୁଖ୍ୟଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାହୁ, ଇଂ ରମେଶ ଚନ୍ଦ୍ର ବେହେରା, ଇଂ ସଂଜୀବ କୁମାର ମହାନ୍ତି, ବିତ୍ତ ଅଧିକାରୀ ସ୍ମିତା ପାଣି ଏବଂ ସ୍ଵତନ୍ତ୍ର ସଚିବ ସୁଦର୍ଶନ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ ।