ଓଡିଶା ବାୟୋଟେକ ପାର୍କ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ | News Room Odisha

ଓଡିଶା ବାୟୋଟେକ ପାର୍କ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର – ଭୁବନେଶ୍ବର ଅନ୍ଧାରୁଆ ସ୍ଥିତ ଓଡିଶା ବାୟୋଟେକ୍ ପାର୍କ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଓଡ଼ିଶାରେ ବାୟୋଟେକ୍ନୋଲୋଜି ଏବଂ ଜୈବ – ସୂଚନା ପ୍ରଯୁକ୍ତି ଶିଳ୍ପକୁ ଆନୁଷଙ୍ଗିକ ସୁବିଧା ସହିତ ଆକୃଷ୍ଟ ଓ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏହା ଏକ ସମନ୍ବିତ ଶିଳ୍ପ ପାର୍କ । ରାଜ୍ୟ ସରକାରଙ୍କ ଇଡକୋ ଦ୍ବାରା ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ଓଡ଼ିଶା ବାୟୋଟେକ୍ ପାର୍କ ପ୍ରାଇଭେଟ୍‌ ଲିମିଟେଡ୍‌ ( ଓବିପିପିଏଲ୍ ) କୁ ପ୍ରଦତ୍ତ ଜମିରେ ଏହି ପାର୍କରେ ସ୍ଥାପିତ ପ୍ରକଳ୍ପରେ ହାଇଦ୍ରାବାଦର ସୋପିଜେନ୍ ବାୟୋଲୋଜିକ୍ସ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ମ୍ୟାଲେରିଆ , ନାଟାଲ କରୋନା ଭ୍ୟାକ୍ସିନ୍ ଓ ଔଷଧ ଆଦି ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟଶାସନ ସଚିବ ଏଠାରେ ଅତ୍ୟାଧୁନିକ ଶୈଳୀରେ ଉତ୍ପାଦନ ହେବାକୁ ଥିବା ଔଷଧର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ଏହି ପ୍ରକଳ୍ପର କାର୍ଯ୍ୟକାରିତା ଓ ପାର୍କର ଅଧିକ ବିକାଶ ନେଇ ରହିଥିବା ବିଭିନ୍ନ ଆବଶ୍ୟକତା ସଂପର୍କରେ ସେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ହେମନ୍ତ ଶର୍ମା , ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମଙ୍କ ସହ ଆଲୋଚନା କରିଥିଲେ । ସାପିଜେନ୍ ବାୟୋଲୋଜିକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା . କ୍ରୀଷ୍ଣା ମୋହନ , ମୁଖ୍ୟ ବିତ୍ତ ଅଧିକାରୀ ଟି.ଶ୍ରୀନିବାସ , ପ୍ରକଳ୍ପ ଇନଚାର୍ଜ ଏ.ଅରୁଣାଚଳମ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଆନ୍ତଃ ବିଭାଗୀୟ ପରିଦର୍ଶନରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ , ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ ।