ଛତ୍ରପୁର ଆର୍ଯ୍ୟପଲ୍ଲୀର ୫ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ର ମାଛ ମାଫିଆଙ୍କ ଅପହରଣ ଅଭିଯୋଗ | News Room Odisha

ଛତ୍ରପୁର ଆର୍ଯ୍ୟପଲ୍ଲୀର ୫ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ର ମାଛ ମାଫିଆଙ୍କ ଅପହରଣ ଅଭିଯୋଗ

ବ୍ରହ୍ମପୁର – ଆନ୍ଧ୍ର ମାଛ ମାଫିଆମାନେ ସମୁଦ୍ର ମଧ୍ୟରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅପହୃତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ସାମୁଦ୍ରିକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ।

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ଶୁକ୍ରବାର ସକାଳେ ଦୁଇଟି ଡଙ୍ଗାରେ ମାଛ ମାରିବାକୁ ଯାଇଥିଲେ। ସନ୍ଧ୍ୟାରେ ଆନ୍ଧ୍ରର ମତ୍ସ୍ୟଜୀବୀମାନେ ନୋ ଫିସିଂ ଜୋନରେ ବେଆଇନ ଭାବେ ମାଛ ଧରୁଥିବାରୁ ଏହାର ବିରୋଧ କରିଥିଲେ ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ। ମଝି ସମୁଦ୍ରରେ ଆନ୍ଧ୍ର ଏବଂ ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ମଧ୍ୟରୁ ଆନ୍ଧ୍ରର ମତ୍ସ୍ୟଜୀବୀମାନେ ସାନ ଆର୍ଯ୍ୟପଲ୍ଲୀର ୫ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରି ନେଇଯାଇଥିବା ଅଭିଯୋଗ ହୋଇଛି।

ଏ ନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରାଯାଇଥିଲା । ଏପର୍ଯ୍ୟନ୍ତ ୫ଜଣଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀ ଛାଡ଼ି ନାହାନ୍ତି। ଛତ୍ରପୁର ଏସଡିପିଓ ଓ ସାମୁଦ୍ରିକ ଥାନା ଅଧିକାରୀ ୫ ଜଣ ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାକୁ ଆନ୍ଧ୍ର ପୋଲିସ ସହ କଥା ହୋଇଥିବା ସୂଚନା ମିଳିଛି।