ବ୍ରହ୍ମପୁର ବଡ଼ବଜାରରେ ପୂଜା ଭଣ୍ଡାର ଜଳି ଛାରଖାର | News Room Odisha

ବ୍ରହ୍ମପୁର ବଡ଼ବଜାରରେ ପୂଜା ଭଣ୍ଡାର ଜଳି ଛାରଖାର

ବ୍ରହ୍ମପୁର: ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ବ୍ରହ୍ମପୁର ବଡ଼ବଜାରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖାସ୍ପା ସାହିରେ ଥିବା ଦେବଦର୍ଶନ ପୂଜା ଭଣ୍ଡାରରେ ନିଆଁ ଲାଗି ପ୍ରାୟ ୪୦ ଲକ୍ଷ ଟଙ୍କାର ପୂଜା ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ପ୍ରଶମିତ କରିବାକୁ ଉଦ୍ୟମ କରୁଛନ୍ତି। ପୂଜା ଭଣ୍ଡାରର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଅତି ଭୟଙ୍କର ଥିଲା। ନିଆଁ ଶିଖା ଓ ଧୂଆଁ ଆକାଶକୁ ଉଠିଥିଲା। ଆଖପାଖର ଲୋକେ ଭୟଭୀତ ହୋଇ ଯାଇଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନି। ଶ୍ରାବଣ ସୋମବାର ଓ ରାକ୍ଷୀ ପୂର୍ଣ୍ଣିମା ସମେତ ଗଣେଶ ପୂଜା ଓ ପାର୍ବଣ ଋତୁ ଲାଗି ଯାବତୀୟ ପୂଜା ସାମଗ୍ରୀ ଗଚ୍ଛିତ ରଖାଯାଇଥିଲା। ଏଣୁ ନିଆଁ କମ୍ ସମୟରେ ଭୟଙ୍କର ରୂପେ ବ୍ୟାପି ଯାଇଥିଲା।