କନ୍ଧମାଳ ଜିଲ୍ଲାକୁ ୫-ଟି ସଚିବଙ୍କ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି  | News Room Odisha

କନ୍ଧମାଳ ଜିଲ୍ଲାକୁ ୫-ଟି ସଚିବଙ୍କ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି 

ଫୁଲବାଣୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ୨୩ଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏ‌ହି ଗସ୍ତ ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା , ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ସହିତ ଜିଲ୍ଲାରେ ଥିବା ସମସ୍ୟା ଗୁଡ଼ିକୁ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ୫-ଟି ସଚିବ ।

ସେହି ଆଧାରରେ , ବଲସ୍କୁମ୍ପା ସ୍ଥିତ ବରାଳ ଦେବୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ସହିତ ଏହାର ଆଖପାଖ ବିକାଶ ତଥା ଆନୁଷଙ୍ଗିକ କାର୍ଯ୍ୟ ପାଇଁ ପ୍ରଶାସନିକ ଅନୁମୋଦନ ହୋଇସାରିଛି । ଏଥିପାଇଁ ମୁଖ୍ୟ ଯନ୍ତ୍ରୀ ( କୋଠାବାଡ଼ି ) , ଓଡ଼ିଶା , ଭୁବନେଶ୍ଵର ୨ କୋଟି ୯୯ ଲକ୍ଷ ୩ ହଜାର ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ସେହିପରି ଫୁଲବାଣୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାର୍ଶ୍ବରେ ଥିବା ସର୍ବସାଧାରଣ ଶୌଚାଳୟ , ମଣ୍ଡପ , ଫାଟକ , ରାସ୍ତା ଆଦିର ଉନ୍ନତିକରଣ ନିମନ୍ତେ ପ୍ରଶାସନିକ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ୨ କୋଟି ୨୦ ଲକ୍ଷ ୨୧ହଜାର ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ନବୀକରଣ କାର୍ଯ୍ୟ ନିମନ୍ତେ ମଧ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି , ବାଲିଗୁଡ଼ା ସ୍ଥିତ ପାଟଖଣ୍ଡା ମନ୍ଦିରର ମରାମତି ତଥା ନବୀକରଣ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କର ଯୋଜନା ଓ ସମନ୍ବୟ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା -୩୨ତମ ପର୍ଯ୍ୟାୟରେ ୨୦୨୩ – ୨୪ ଆର୍ଥିକ ବର୍ଷ ପାଇଁ ୨୦ ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଷ୍ଟେଟ୍ ପ୍ଲାନ୍ ସ୍କିମରେ କସମ ପାଇଁ ରିଭଲ୍‌ଭିଙ୍କ ପାଣ୍ଠି ପ୍ରଦାନ କରିଛନ୍ତି । ଏହି ପାଣ୍ଠିରୁ ହଳଦୀ ଓ ମସଲା ଚାଷର ବିକାଶ କରାଯିବ । ଏଥିପାଇଁ ମଧ୍ୟ ୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନର ଗନ୍ତବ୍ୟସ୍ଥଳର ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ସମୁଦାୟ ୬ କୋଟି ୪୮ ଲକ୍ଷ ୨ହଜାର ଟଙ୍କା ମଞ୍ଜୁର କରିଛନ୍ତି । ସେଥିମଧ୍ୟରୁ ପୁତୁଡ଼ି ଜଳପ୍ରପାତ ପାଇଁ ୪୫ ଲକ୍ଷ ୧ ହଜାର , ଉର୍ମାଗଡ଼ ଜଳପ୍ରପାତ ପାଇଁ ୫୨ଲକ୍ଷ ୨୧ହଜାର , କଳିଗାହୁ , ଘୁ . ଉଦୟଗିରି ପାଇଁ ୬୬ ଲକ୍ଷ , କାଟ୍ରାମଲ ଜଳ ପ୍ରପାତ ପାଇଁ ୫୭ ଲକ୍ଷ ୬୦ହଜାର , ରତଙ୍ଗ ପୋଖରୀ ପାଇଁ ୧୨ଲକ୍ଷ , ପଇଡ଼ାଝର ଜଳପ୍ରପାତ ପାଇଁ ୭୮ଲକ୍ଷ , ଦୁଲିରି ପିକ୍‌ନିକ୍ ସ୍ପଟ୍ ପାଇଁ ୮୫ ଲକ୍ଷ ୨୦ହଜାର , ରିଶିମାଳା ଟୁରିଷ୍ଟ ସ୍ପଟ ପାଇଁ ୭୮ ଲକ୍ଷ , ଲୁଡୁ ଜଳପ୍ରପାତ ପାଇଁ ୬୦ ଲକ୍ଷ , ଦାବାଡ଼ି ଜଳପ୍ରପାତ ପାଇଁ ୫୨ଲକ୍ଷ ୮୦ହଜାର , ସର୍ପନଳା ଜଳପ୍ରପାତ ପାଇଁ ୬୧ଲକ୍ଷ ୨୦ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି । ଓଡ଼ିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଜୁ ସେତୁ ଯୋଜନାରେ ସମଗ୍ର ଓଡ଼ିଶାରେ ଆର୍ଥିକ ବର୍ଷ ୨୦୨୩ – ୨୪ ପାଇଁ ସମୁଦାୟ ୬୮ଗୋଟି ସେତୁ ନିର୍ମାଣ ପାଇଁ ଅନୁମୋଦିତ ହୋଇଥିବାବେଳେ କେବଳ ଆମ ଜିଲ୍ଲାରେ ୧୮ଗୋଟି ସେତୁ ନିର୍ମାଣ କରାଯିବ । ଡିପିଆର ପ୍ରସ୍ତୁତ ପୂର୍ବରୁ ସର୍ଭେ କାର୍ଯ୍ୟ ଚାଲୁ ରହିଛି ବୋଲି ଜଣାପଡ଼ିଛି । ଓଡ଼ିଶା ସରକାରଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଜିଲ୍ଲାର ୧୭ଟି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ରାସ୍ତା ଗୁଡ଼ିକ ମଧ୍ୟରୁ ଫୁଲବାଣୀ ଡିଭିଜନର ୪ ଗୋଟି ଓ ବାଲିଗୁଡ଼ା ଡିଭିଜନର ୨ଗୋଟି ରାସ୍ତାର ଡି.ପି.ଆର୍ . ପ୍ରସ୍ତୁତ ହୋଇଯାଇଛି ବୋଲି ଜଣାପଡ଼ିଛି ।