ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ର ରହିଛି ବିଶେଷ ସ୍ଥାନ। ଅତ୍ୟନ୍ତ ରହସ୍ୟମୟ ଏହି ଦୁଇଟି ପାହାଡ଼। ବହୁତ କିଛି ଅଜଣା କଥା ଲୁଚି ରହିଛି ଏହି ଦୁଇ ପାହାଡ଼ ରେ। ବିଶେଷ କରି ଜୈନ ଧର୍ମର ପ୍ରଚାର ପ୍ରସାର ସମୟରେ ଏହି ସ୍ଥାନ ଥିଲା ଏକ ସାଧନସ୍ଥଳୀ। ଐତିହାସିକଙ୍କ ମତରେ ପ୍ରାୟ ୨୨୦୦ ବର୍ଷ ପୁରୁଣା ଖଣ୍ଡଗିରି ଓ ଉଦୟଗିରି ପାହାଡ଼। ବିଶେଷ କରି ଏହା ଗୁମ୍ଫା ପାଇଁ ବିଖ୍ୟାତ। ଏଥିମଧ୍ୟରେ ସର୍ବାଧିକ ଗୁମ୍ଫା ରାଜା ଖାରବେଳଙ୍କ ସମୟରେ ନିର୍ମିତ ହୋଇଥିବା ଜଣାଯାଏ। ଖଣ୍ଡଗିରି ପାହାଡ଼ ଉପରେ ରହିଛି ଏକ ବିସ୍ମୟକର ଜଳାଶୟ। ଯାହାକୁ ସାଧାରଣରେ ଆକାଶ ଗଙ୍ଗା କୁହାଯାଏ।
ଖଣ୍ଡଗିରି ପାହାଡ଼ର ମଧ୍ୟସ୍ଥଳ ତଥା ପୂର୍ବ ଦିଗରେ ରହିଛି ଏହି ରହସ୍ୟମୟ ଜଳାଶୟ। ଖଣ୍ଡଗିରି ପାହାଡ଼ସ୍ଥିତ ଲଲାଟକେଶରୀ ଗୁମ୍ଫାରୁ ଆକାଶ ଗଙ୍ଗାକୁ ଯିବାକୁ ସିଦ୍ଧା ଏକ ରାସ୍ତା ରହିଛି।ଏହି ରାସ୍ତା ମଝିରେ ଅନେକ ଭଗ୍ନାଶ କଳାକୃତି ଦେଖି ବାକୁ ମିଳେ। ପୂର୍ବେ ଏହିସ୍ଥାନରେ କିଛି ଦେବାଳୟ ଥିବା ମନେ କରାଯାଏ। କଳାପାହାଡ଼ ଆକ୍ରମଣ ସମୟରେ ଏହାକୁ ନଷ୍ଟ କରି ଦିଆ ଯାଇଥିବା ଅନୁମାନ କରାଯାଉଛି।
ଏହି ପାହାଡ଼ ସ୍ଥିତ ଲଲାଟକେଶରୀ ଗୁମ୍ଫାର ଠିକ୍ ୨୫ ଫୁଟ ଦୂରରେ ପାହାଡ଼ ମଝିରୁ ପାଣି ବାହାରୁଛି। ଯାହା ଆକାଶ ଗଙ୍ଗାରୁ ନିୟମିତ ଭାବରେ ପାଣି ନିଷ୍କାସିତ ହୋଇଥାଏ।
ଖଣ୍ଡଗିରି ପାହାଡ଼ ଲଲାଟକେଶରୀର ଗୁମ୍ଫାର ପୂର୍ବ-ଦକ୍ଷିଣ କୋଣକୁ ସଂଲଗ୍ନ ହୋଇ ପାହାଡ଼ର ପାଦଦେଶରେ ଏକ ସୁଡ଼ଙ୍ଗ ଭଳି ସୃଷ୍ଟି ହୋଇଛି। ଏହାର ଭିତର ପଟରୁ ବାହାରକୁ ଏକ ବଡ଼ ପଥର ରହିଛି। ବର୍ତ୍ତମାନ ଗୁମ୍ଫା ବନ୍ଦ ହୋଇଯାଇଥିବାରୁ ଏହି ପଥରେ ପ୍ରବେଶ ଅସମ୍ଭବ ମନେ ହୁଏ। ତେବେ ଶହ-ଶହ ବର୍ଷ ପୂର୍ବରୁ ଗୁମ୍ଫା ଭିତରକୁ ରାସ୍ତା ଥିବାର ଅନୁମାନ କରାଯାଉଛି। ସେହି ଭିତରକୁ ସାଧୁ ସନ୍ନ୍ୟାସୀମାନେ ପ୍ରବେଶ କରୁ ଥିଲେ। କୌଣସି କାରଣବସତଃ ଏହି ପଥର ପଡ଼ି ଯାଇଥିବା ଅନୁମାନ କରାଯାଏ। ସ୍ଥାନୀୟ ଲୋକ ଏହି ଗୁମ୍ଫା ଭିତରେ ଧ୍ୟାନରତ ଅବସ୍ଥାରେ ଅନେକ ସାଧୁଙ୍କ ମୃତ୍ୟୁ ହୋଇଥିବା ବିଶ୍ବାସ କରନ୍ତି। ଏହି ଗୁମ୍ଫା ନିକଟରେ ପଞ୍ଚସଖାଙ୍କ ଧ୍ୟାନସ୍ଥଳୀ ରହିଛି। ଏଠାରେ ପାଞ୍ଚ ଜଣଙ୍କ କ୍ଷୁଦ୍ର ପଥର ମୂର୍ତ୍ତି ବି ରହିଛି।
କୁହାଯାଏ ଖଣ୍ଡଗିରି ଚତୁପାର୍ଶ୍ବରେ ଯୋଗ ନଦୀ , ଘରଘରି, ଖରଖରି, ତେଲ ନଦୀ ରହିଥିଲା। ବର୍ତ୍ତମାନ ଏହି ନଦୀସବୁ ଲୋପ ପାଇ ରାସ୍ତା ହୋଇ ସାରିଛି। ପ୍ରତିବର୍ଷ ମାଘମାସ ମାଘ ସପ୍ତମୀ ମେଳା ଅବସର ରେ ଏଠାରେ ପ୍ରସିଦ୍ଧ ଖଣ୍ଡଗିରି ମେଳା ଅନୁଷ୍ଠିତ ହୋଇଥାଏ। ଖଣ୍ଡଗିରି ପାହାଡ଼ରେ ଥିବା ଆକାଶ ଗଙ୍ଗାରେ ମେଳାକୁ ଆସୁଥିବା ସାଧୁ, ସନ୍ନ୍ୟାସୀମାନେ ଗାଧୋଇବା ସହିତ କଳସ ଶୋଭାଯାତ୍ରା ପାଇଁ ପାଣି ଆଣିଥାଆନ୍ତି। ପାହାଡ଼ ଉପରେ ବିରାଟ ବଟବୃକ୍ଷ ରହିଛି। ସ୍ଥାନୀୟ ଶ୍ରଦ୍ଧାଳୁମାନେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଏଠାରେ ବିଭିନ୍ନ ଭାବରେ ପଥର ସଜାଇବା ସହିତ କନା ବାନ୍ଧିଥାନ୍ତି। ଏହାର ନିକଟରେ ଗୁପ୍ତଗଙ୍ଗା ରହିଛି। ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।