ବସ୍ ଜଳିଲା, ଅଲ୍ପକେ ବର୍ତ୍ତିଲେ ଯାତ୍ରୀ | News Room Odisha

ବସ୍ ଜଳିଲା, ଅଲ୍ପକେ ବର୍ତ୍ତିଲେ ଯାତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟ ଜାତୀୟ ରାଜପଥ- ୨୬ରେ ହୁ ହୁ ହୋଇ ଏକ ଘରୋଇ ବସ୍ ଜଳିଯାଇଛି। ଗୁରୁବାର ସକାଳେ ଏହି ଅଘଟଣ ଘଟିଛି। ତେବେ ଠିକ୍ ସମୟରେ ବସ୍ ଅଟକି ଯିବାରୁ ଯାତ୍ରୀମାନେ ତୁରନ୍ତ ଓହ୍ଲାଇ ପଡ଼ିଥିଲେ ଏବଂ ସମସ୍ତ ୪୦ ଜଣ ମରଣ ମୁହଁରୁ ସୁରକ୍ଷିତ ରହିଛନ୍ତି। ଗୁପ୍ତା ଟ୍ରାଭଲ୍ସ ନାମକ ଘରୋଇ ବସ୍ ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି କଳାହାଣ୍ଡି ଜିଲ୍କା ସିନାପାଲି ଅଭିମୁଖେ ଯାଉଥିଲା। ବୋରିଗୁମ୍ମାରେ ଗାଡିଟି ପ୍ରଥମେ ପଙ୍କଚର୍ ହୋଇଥିଲା। ପରେ ଅଚାନକ ଗାଡ଼ି ତଳପଟୁ ନିଆଁ ଓ ଧୂଆଁ ବାହାରିବାରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଧୀରେ ଧୀରେ ହୁ ହୁ ହୋଇ ବସଟି ଜଳି ଯାଇଥିଲା। ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସରେ ଗନ୍ତବ୍ୟ ସ୍ଥଳକୁ ପଠାଯାଇ ଥିଲା। ବସରେ କିପରି ନିଆଁ ଲାଗିଲା ତାହାର କାରଣ ଜଣାପଡ଼ିନି।