ଭୁବନେଶ୍ବର – ରାୟଗଡ଼ା ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କର ପୁଳା ପୁଳା ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ମୋଟ ସମ୍ପତ୍ତି ପରିମାଣ ପ୍ରାୟ ୬ କୋଟି ହେବ ବୋଲି ଜଣାପଡିଛି। କୋଟି କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ ହେବା ପରେ ଡିଏଫ୍ଓ ବିଜୟ ପରିଡ଼ାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ଡିଏଫ୍ଓଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଗତକାଲି ଏକକାଳୀନ ୭ଟି ଜାଗାରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟ୍ର ୪ ମହଲା ଅଟ୍ଟାଳିକା ଠାବ କରାଯାଇଥିଲା। ଏହି ବିରାଟ ଅଟ୍ଟାଳିକାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ବର ପଳାସୁଣିରେ ୫୧୦୦ ବର୍ଗଫୁଟରେ ତିନି ମହଲା କୋଠା, କଳାରାହଙ୍ଗରେ ଆଶୀର୍ବାଦ ପ୍ଲାଜାରେ ଏକ ଫ୍ଲାଟ୍(ନଂ-୩୦୪), ଭୁବନେଶ୍ବର, କଟକ, ପୁରୀ ଓ ଯାଜପୁରରେ ୧୬ ମୂଲ୍ୟବାନ ଜମି, କାର୍ ଠାବ କରାଯାଇଛି। ଏହାସହ ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଛି। ଜବତ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ ଜୀବନ ବୀମା ଜମା ରାଶିର ହିସାବ କରାଯାଉଛି। ଏ ନେଇ ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖାଯାଇ ତଥ୍ୟ ମଗାଯାଇଛି।
ସେହିପରି ଭୁବନେଶ୍ବରେ ଠାବ କରାଯାଇଥିବା ୩ ମହଲା କୋଠା ଓ ଫ୍ଲାଟର ମଧ୍ୟ ହିସାବ ଚାଲିଛି। ଏ ସବୁ ହିସାବ ମିଳିବା ପରେ ସମ୍ପତ୍ତିର ମୋଟ ପରିମାଣ ଜଣାପଡ଼ିବ। କିନ୍ତୁ ସମ୍ପତ୍ତି ୬ କୋଟି ଟଙ୍କା ଟପିପାରେ ବୋଲି ଅନୁମାନ କରାଯାଉଛି। ଏହା ରାଜ୍ୟର ଆଉ ଏକ ବଡ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ହେବ ବୋଲି ସୂଚନା ମିଳିଛି।