ଆସନ୍ତା ଦୁଇ ଦିନ ରାଜ୍ୟରେ ଜାରି ରହିବ ହାଲୁକାରୁ ମଧ୍ୟମ ବର୍ଷା | News Room Odisha

ଆସନ୍ତା ଦୁଇ ଦିନ ରାଜ୍ୟରେ ଜାରି ରହିବ ହାଲୁକାରୁ ମଧ୍ୟମ ବର୍ଷା

ଭୁବନେଶ୍ୱର – ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଅଗଷ୍ଟ ୨୬ ତାରିଖ ଅପରାହ୍ନ ସୁଦ୍ଧା ଉପକୂଳ, ଆଭ୍ୟନ୍ତରୀଣ, ଉତ୍ତର, ଦକ୍ଷିଣ ଓ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ସେମି) ସମ୍ଭାବନା ରହିଛି । ୧୫ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଦେବଗଡ଼, ବୌଦ୍ଧ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଗଜପତି, ରାୟଗଡ଼ା ଓ କୋରାପୁଟ ପ୍ରଭୃତି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ସେମି)ର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।