ବିରାଟ କୋହଲିଙ୍କ ଉପରେ ବିସିସିଆଇ ଖପା, ଏଭଳି ନ କରିବାକୁ ଦେଲା ଚେତାବନୀ | News Room Odisha

ବିରାଟ କୋହଲିଙ୍କ ଉପରେ ବିସିସିଆଇ ଖପା, ଏଭଳି ନ କରିବାକୁ ଦେଲା ଚେତାବନୀ

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ଫିଟନେସକୁ ନେଇ ସର୍ବଦା ସଚେତନ । ସେ ଟିମ୍ ଇଣ୍ଡିଆର ସବୁଠାରୁ ଫିଟ୍ ଖେଳାଳି | ଏସିଆ କପ୍ ପୂର୍ବରୁ ଗୁରୁବାର ଭାରତୀୟ ଖେଳାଳିଙ୍କ କଠିଣ ୟୋ-ୟୋ ଟେଷ୍ଟ ହୋଇଥିଲା। ତାଙ୍କ ସାଥୀ ଖେଳାଳିମାନଙ୍କ ଅପେକ୍ଷା କୋହଲି ଏହି ଟେଷ୍ଟରେ ସର୍ବୋଚ୍ଚ ମାର୍କ ରଖିଥିଲେ । ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ସୋସିଆଲ ମିଡିଆରେ ନିଜର ୟୋ-ଟେଷ୍ଟ ସ୍କୋର ସେୟାର ବି କରିଥିଲେ । ହେଲେ କୋହଲି ଏପରି କରିବା ନେଇ ବିସିସିଆଇ ଅସନ୍ତୋଷ ବ୍ୟକ୍ତ କରିଛି । ଭାରତୀୟ ବୋର୍ଡ ଏବେ ଦଳର ସବୁ ଖେଳାଳିଙ୍କୁ ସୋସିଆଲ ମିଡିଆରେ ଏଭଳି ଗୋପନୀୟ ସୂଚନା ସେୟାର ନ କରିବାକୁ ଚେତାବନୀ ଦେଇଛି ।

ବେଙ୍ଗାଲୁରୁରେ ଏସିଆ କପ୍ ପାଇଁ ମନୋନୀତ ସମସ୍ତ ଖେଳାଳିଙ୍କ ଏକ ଫିଟନେସ୍ ଟେଷ୍ଟ କରାଯାଇଥିଲା ଯେଉଁଥିରେ ୟୋ-ୟୋ ଟେଷ୍ଟ ବି ହୋଇଥିଲା | ଏହି ଡ୍ରିଲରେ ଉପସ୍ଥିତ ଥିବା ସମସ୍ତ ଖେଳାଳି ‘ୟୋ-ୟୋ’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ | ବିସିସିଆଇ ଫିଟନେସ୍ ପାରାମିଟରକୁ ୧୬.୫ ରଖିଥିଲା |

ବିରାଟ କୋହଲି ଗୁରୁବାର ତାଙ୍କ ସାର୍ଟଲେସ୍ ଫଟୋ ସେୟାର କରି ଲେଖିଥିଲେ, “ୟୋ-ୟୋ ପରୀକ୍ଷାରେ ଖୁସି | ୧୭.୨ ସ୍କୋର।” କୋହଲିଙ୍କ ଏହି ପୋଷ୍ଟ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲା ବିସିସିଆଇ। ବିସିସିଆଇ ସମସ୍ତ ଖେଳାଳିଙ୍କୁ ଗୋପନୀୟ ସୂଚନା ସେୟାର ନ କରିବାକୁ ସବୁ ଖେଳାଳିଙ୍କୁ ମୌଖିକ ଭାବେ କହିଥିବା ଜଣାପଡ଼ିଛି । ବିସିସିଆଇର ଏକ ସୂତ୍ରରୁ ପ୍ରକାଶ, “ଖେଳାଳିମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗୋପନୀୟ ତଥ୍ୟ ସେୟାର ନକରିବାକୁ କୁହାଯାଇଛି। ଖେଳାଳିମାନେ ନିଜ ଟ୍ରେନିଂ ଫଟୋ ସେୟାର କରିପାରିବେ କିନ୍ତୁ ସ୍କୋର ସେୟାର କରିବା ଚୁକ୍ତି ବିରୁଦ୍ଧ |

କୋହଲିଙ୍କ ବ୍ୟତୀତ ଅଧିନାୟକ ରୋହିତ ଶର୍ମା ଏବଂ ଦିନିକିଆ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅନ୍ୟ ଖେଳାଳିଙ୍କ ସହ ‘ଡ୍ରିଲ୍ସ’ରେ ଅଂଶଗ୍ରହଣ କରିଥିଲେ ଏବଂ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏ ବିଷୟରେ ଅବଗତ ଥିବା ଏକ ସୂତ୍ରରୁ ଜଣାପଡ଼ିଛି ଯେ ସମସ୍ତେ ୟୋ-ୟୋ ଟେଷ୍ଟରେ ସଫଳ ହୋଇଥିଲେ । ଖୁବ ଶୀଘ୍ର ରିପୋର୍ଟ ବିସିସିଆଇକୁ ପଠାଯିବ। ଶୁକ୍ରବାର ଏହି ଶିବିରରେ ଚାରିଜଣ ଖେଳାଳି (ଜସପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ ଏବଂ ତିଳକ ବର୍ମା) ଯୋଗଦେବେ ବୋଲି ଆଶା କରାଯାଉଛି। ଆୟର୍ଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ଖେଳିବା ପରେ ଏହି ସମସ୍ତ ଚାରିଜଣ ଡବଲିନ୍‌ରୁ ବେଙ୍ଗାଲୁରୁରେ ପହଞ୍ଚିବେ। ଗୁରୁବାର ଦିନ ‘ୟୋ-ୟୋ’ ଟେଷ୍ଟକୁ ଛାଡ଼ି ଅନ୍ୟ ‘ଡ୍ରିଲ୍ସ’ ପ୍ରାୟତଃ ଇଣ୍ଡୋରରେ ହୋଇଥିଲା । କିନ୍ତୁ ଶୁକ୍ରବାର ଠାରୁ ଆଉଟଡୋର୍ ଡ୍ରିଲ୍ ବୃଦ୍ଧି କରାଯିବ।