୫ଟି ସଚିବଙ୍କ ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନ: ଅଭିଯୋଗ ଶୁଣି ସମାଧାନ ଆଶ୍ଵାସନା ଦେଲେ | News Room Odisha

୫ଟି ସଚିବଙ୍କ ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନ: ଅଭିଯୋଗ ଶୁଣି ସମାଧାନ ଆଶ୍ଵାସନା ଦେଲେ

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର ଲଗାତର ଦ୍ଵିତୀୟ ଦିନ ପାଇଁ ଗଞ୍ଜାମ ଗସ୍ତ ଜାରି ରଖିଛନ୍ତି। ଭଞ୍ଜନଗର, ସୋରଡ଼ା, ଆସିକା, ପୋଲସରା ସମେତ ଲଗାତର ଦ୍ଵିତୀୟ ଦିନ ପାଇଁ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଛନ୍ତି ସେ। ଭଞ୍ଜନଗର କେଏସ୍‌ୟୁବି କଲେଜ ଖେଳ ପଡ଼ିଆ, ସୋରଡ଼ା ମିନି ଷ୍ଟାଡିୟମ୍‌, ଆସିକା ବିଜ୍ଞାନ କଲେଜ, ପୋଲସରା ଲୁଣିଘାଟି ଖେଳ ପଡ଼ିଆ ଏବଂ ଖଲ୍ଲିକୋଟ ଆର୍‌ସିଏମ୍‌ ବିଜ୍ଞାନ କଲେଜ ପଡ଼ିଆରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା। ସବୁଠି ୫ଟି ସଚିବଙ୍କୁ ଭେଟିବା, ତାଙ୍କୁ ଆପତ୍ତି ଅଭିଯୋଗ ଜଣାଇବା, ବିଭିନ୍ନ ସମସ୍ୟାର ସମାଧାନ ତଥା ବିକାଶମୂଳକ କାର୍ଯ୍ୟ କରିବା ନିମନ୍ତେ ଆବେଦନପତ୍ର ଦେବାକୁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ, ଆଗ୍ରହ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବିଭିନ୍ନ ଫୋରମ୍‌ ଓ ସଙ୍ଗଠନ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନେ ସଚିବ ପାଣ୍ଡିଆନଙ୍କୁ ନିଜ ଅଞ୍ଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ।

ନିଜ ଉଦ୍‌ବୋଧନରେ ୫ଟି ସଚିବ କହିଥିଲେ ଯେ- ମୁଖ୍ୟମନ୍ତ୍ରୀ ଚାହାଁନ୍ତି ମହିଳାମାନେ ସଶକ୍ତ ହେଲେ ଓଡ଼ିଶା ଅଧିକ ସଶକ୍ତ ହେବ। ଏବେ ମହିଳାମାନେ ରାଜ୍ୟ ବିକାଶର ସାରଥୀ ସାଜିଛନ୍ତି। ମିଶନ୍‌ ଶକ୍ତି ଦ୍ଵାରା ମାଆମାନେ ଏବେ ଆର୍ଥିକ ଦୃଷ୍ଟିରୁ ଅଧକ ସ୍ଵାବଲମ୍ବୀ ହୋଇପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅଧିକସଂଖ୍ୟକ ମାଆମାନେ ମିଶନ୍‌ ଶକ୍ତିରେ ସାମିଲ ହୁଅନ୍ତୁ ବୋଲି ସଚିବ ପାଣ୍ଡିଆନ୍ ଆହ୍ଵାନ ଦେଇଛନ୍ତି। ପ୍ରତ୍ୟେକ ଜଣେ ଭଲ ମଣିଷ ହେବା ସହ ନିଜକୁ ସମାଜରେ ପ୍ରତିଷ୍ଠିତ କରାଇପାରିଲେ ହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶ୍ରେଷ୍ଠ ଉପହାର ହେବ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ ସଚିବ ପାଣ୍ଡିଆନ।

ବିଭିନ୍ନ ସ୍ଥାନର ପ୍ରମୁଖ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମନ୍ଦିରମାନଙ୍କର ୫-ଟି ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଘୋଷଣା କରିଥିବା ସୂଚାଇଥିଲେ ୫ଟି ସଚିବ। ଶୀଘ୍ର ରୂପାନ୍ତରଣ କାମ ଆରମ୍ଭ ହୋଇ ୬ ମାସ ମଧ୍ଯରେ ନବକଳେବର ହେବ ବୋଲି କହିଥିଲେ ସେ। ସେହିପରି ମହାନଦୀରୁ ମେଗା ପାନୀୟ ଜଳପ୍ରକଳ୍ପ ନିର୍ମାଣ ପାଇଁ ସରକାର ୧୯୭୩ କୋଟି ଅନୁଦାନ ଯୋଗାଇ ଦେଇଥିବା ୫ଟି ସଚିବ ସୂଚାଇଥିଲେ। ଏଥିରୁ ଗଞ୍ଜାମ ଜିଲ୍ଲାର ୧୧ଟି ବ୍ଲକ୍‌ ଓ ୨ଟି ଏନ୍‌ଏସିର ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ବିଭିନ୍ନ ସ୍ଥାନରେ ହେଲିପ୍ୟାଡରୁ ସଭାସ୍ଫଳ ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇଥିବା ଲୋକମାନଙ୍କ ସହ ୫ଟି ସଚିବ ହାତ ମିଶାଇବା ସାଙ୍ଗକୁ ସେମାନଙ୍କ ସହ କଥା ହୋଇଥିଲେ।ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଚିବଙ୍କୁ ଭେଟିବାକୁ ଆତୁର ଥିବା ବେଳେ ମିଶନ୍‌ ଶକ୍ତିର ମାଆମାନେ ତାଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିବା ସହ ହାତରେ ରାକ୍ଷୀ ବାନ୍ଧି ଦେଉଥିବା ଦେଖୁବାକୁ ମିଳିଥିଲା।