ମୋହନା: ପଥର ବ୍ଲାଷ୍ଟିଂ ବେଳେ ମାମୁଁ ଭଣଜା ମୃତ | News Room Odisha

ମୋହନା: ପଥର ବ୍ଲାଷ୍ଟିଂ ବେଳେ ମାମୁଁ ଭଣଜା ମୃତ

ପାରଳାଖେମୁଣ୍ଡି: କ୍ରସର୍ ପାଇଁ ପଥର ଫୁଟାଇବା (ବ୍ଲାଷ୍ଟିଂ) ବେଳେ ବଡ଼ ପଥର ଖଣ୍ଡ ମାଡ଼ି ଯିବାରୁ ମାମୁଁ ଓ ଭଣଜାଙ୍କ ମୃତ୍ୟୁ ଘଟିଛି। ବିରାଟ ପଥର ଖଣ୍ଡ ତଳେ ଚାପି ହୋଇ ସେଠାରେ କାମ କରୁଥିବା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝାରେଡି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହାକ (୪୬) ଓ ମଧୁରଚୁଆ ଗାଁର ବିଷ୍ଣୁ ପ୍ରସାଦ ନାହାକ (୨୨) ଙ୍କ ଜୀବନ ଚାଲି ଯାଇଛି। ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା ଗାଁ ନିକଟ ପାହାଡ଼ରେ ଏହି ଘଟଣା ଘଟିଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ମୃତ ଦେହକୁ ପଥର ତଳୁ ଉଦ୍ଧାର କରାଯାଇ ପାରିନି। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ମୋହନା ଭାରପ୍ରlପ୍ତ ତହସଲଦାର ହିମାଂଶୁ ଭୂଷଣ ପଲେଇ, ଥାନାଧିକାରୀ ବସନ୍ତ ସେଠୀ ଓ ଉଭୟଙ୍କ ପରିବାର ଲୋକେ ଘଟଣାସ୍ଥଳରେ ଅଛନ୍ତି।

ମାମୁଁ ନାରାୟଣ ଓ ଭଣଜା ବିଷ୍ଣୁ ଏକ ବଡ଼ ପଥର ପଛପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିଲେ। ବ୍ଲାଷ୍ଟିଂ ବେଳେ ଏକ ବିଶାଳ ପଥର ୨ ଜଣଙ୍କ ଉପରେ ଚାପି ହୋଇଯାଇ ଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଜେସିବି ଓ ହାଇଡ୍ରl ମେସିନ୍ ମାଧ୍ୟମରେ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସଫଳ ହୋଇପାରିନି। ପଥର କଟା ମେସିନ୍ ନିୟୋଜିତ ହୋଇଛି। ନାରାୟଣ, ତାଙ୍କ ପରିବାର ଏବଂ କିଛି ସମ୍ପର୍କୀୟ ଏହି କ୍ରସରରେ ଶ୍ରମିକ ଭାବେ କାମ କରୁଥିଲେ। ମୃତ ନାରାୟଣଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେହିପରି ମୃତ ବିଷ୍ଣୁ ପ୍ରସାଦ ଘରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ। ଉଭୟ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ଊପଜିଲ୍ଲାପାଳ ଆଲୋକ ପ୍ରଧାନ। ସେଥିରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ତହସିଲଦାର କହିଛନ୍ତି।