ସମୂହ ସ୍ଵାସ୍ଥ୍ୟ ପରୀକ୍ଷା: 'ଆରୋଗ୍ୟମ୍‌' ଜିତିଲା ସ୍କଚ୍ ଗୋଲ୍ଡ ଆଓ୍ବାର୍ଡ | News Room Odisha

ସମୂହ ସ୍ଵାସ୍ଥ୍ୟ ପରୀକ୍ଷା: ‘ଆରୋଗ୍ୟମ୍‌’ ଜିତିଲା ସ୍କଚ୍ ଗୋଲ୍ଡ ଆଓ୍ବାର୍ଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳା ପ୍ରଶାସନ, ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଆର୍ଥିକ ସହାୟତା ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ବ୍ରହ୍ମପୁରରେ ବସ୍ତିବାସିନ୍ଦାଙ୍କ ସମୂହ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କାର୍ଯ୍ୟକାରୀ କରାଯାଇ ଥିଲା ‘ଆରୋଗ୍ୟମ୍‌’ ଅଭିଯାନ। ଏହି ଅଭିନବ ଅଭିଯାନ ପାଇଁ ଏବେ ବଡ଼ ଖୁସି ଖବର ଆସିଛି। ସମ୍ମାନଜନକ ସ୍କଚ୍‌ ଆଓ୍ବାର୍ଡ ଗୋଲ୍ଡ ପୁରସ୍କାର ଜିତିଛି ଏହି ଅଭିଯାନ। ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ମୋଡ୍‌ରେ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ସାମିଲ ହୋଇଥିଲେ। ଏଭଳି ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବା ଅଭିଯାନ ସ୍କଚ୍‌ ଗୋଲ୍ଡ ଆୱାର୍ଡ ହାସଲ କରିବା ପ୍ରଥମ ବୋଲି ଆଓ୍ବାର୍ଡ ପ୍ରଦାନକାରୀ ସଂସ୍ଥା ପ୍ରକାଶ କରିଛି।

ବସ୍ତି ଅଞ୍ଚଳବାସୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ଏବଂ ଉକ୍ତ ଅଞ୍ଚଳର ଏକ ସ୍ଵାସ୍ଥ୍ୟଗତ ସୂଚନା ସମ୍ବଳିତ ତଥ୍ୟ ପୁସ୍ତିକା (ହେଲଥ୍‌ ପ୍ରୋଫାଇଲ୍‌) ପ୍ରସ୍ତୁତି ଲକ୍ଷ୍ୟରେ ଗତ ବର୍ଷ ନଭେମ୍ବର ମାସରେ ଆରମ୍ଭ କରାଯାଇଥିଲା ‘ଆରୋଗ୍ୟମ୍‌। ଜିଲ୍ଲା ପ୍ରଶାସନର ପରିକଳ୍ପନା ଓ ବିଇଏମ୍‌ସି କର୍ତ୍ତୃପକ୍ଷଙ୍କ ଆର୍ଥିକ ସହାୟତାରେ ୧୦ରୁ ଅଧିକ ଟିମ୍‌ ବସ୍ତି ଅଞ୍ଚଳରେ ଘରକୁ ଘର ଯାଇ ଲୋକଙ୍କ ରକ୍ତଚାପ, ମଧୁମେହ ଭଳି ୧୧ ପ୍ରକାର ସ୍ବାସ୍ଥ୍ୟ ପରୀକ୍ଷା ଉନ୍ନତ ପଦ୍ଧତିରେ କରାଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଡିଜିଟାଲ୍‌ ଟେଷ୍ଟିଂ ଡିଭାଇସ୍‌ର ପ୍ରୟୋଗ ମଧ୍ୟ କରାଯାଇ ଥିଲା। ସମ୍ପୂର୍ଣ୍ଣ ନିଃଶୁଳ୍କରେ ଅତ୍ୟାଧୁନିକ ନିଦାନ ସେବା ପାଇପାରିଥଲେ ବ୍ରହ୍ମପୁର ମହାନଗରର ପ୍ରାୟ ୪୦ ହଜାର ବସ୍ତି ବାସିନ୍ଦା। ‘ଆରୋଗ୍ୟମ୍‌’ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଏହି ଅଭିନବ କାର୍ଯ୍ୟକ୍ରମ ତଥା ଅଭିଯାନ ପାଇଁ ସ୍କଚ୍‌ ପୁରସ୍କାର ହାସଲ କରିବାକୁ ଆବେଦନ କରାଯାଇ ଥିଲା। ‘ଆରୋଗ୍ୟମ୍‌’କୁ ଅଭିନବ କାର୍ଯ୍ୟକ୍ରମ ବୋଲି ବିଚାର କରି ସ୍କଚ୍‌ ଆଓ୍ବାର୍ଡ କର୍ତ୍ତୃପକ୍ଷ ଏହାକୁ ଗୋଲ୍ଡ କ୍ୟାଟେଗୋଗୋରୀରେ ପୁରସ୍କୃତ କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ୍‌ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ, ସିପିଏମ୍‌ ଲମ୍ବୋଦର ଦିଗାଲ ଏବଂ ସିଡିଏମ୍‌ ଦେବାଶିଷ ସାମଲ ଭର୍ଚୁଆଲ୍‌ ମୋଡରେ ପୁରସ୍କାର ଗ୍ରହଣ କରିଛନ୍ତି। ଜିଲ୍ଲା ପ୍ରଶାସନ, ବିଇଏମ୍‌ସି କର୍ତ୍ତୃପକ୍ଷ ଏବଂ ଏହି ଅଭିଯାନରେ କାର୍ଯ୍ୟରତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଏହା ଶ୍ରେୟ ବୋଲି କୁହାଯାଉଛି।